ଉପଜିଲାପାଳଙ୍କୁ ବି ଛାଡ଼ିଲେନି, ଲୁଟ୍‌ ଉଦ୍ୟମ କରି ବନ୍ଧା ହେଲେ ୩

ବଡ଼ବିଲ,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଉପ-ଜିଲାପାଳଙ୍କ ଗାଡ଼ି ଅଟକାଇ ଲୁଟ୍‌ ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରାସାହି ଅଞ୍ଚଳର ପ୍ରସନ୍ନଜିତ ଓରାମ, ସୁମନ କୁମାର ପାତ୍ର ଏବଂ ଝାଡ଼ଗାଁ ଅଞ୍ଚଳର ଶିବମ ସାଣ୍ଡିଲ।

ବଡ଼ବିଲ ଥାନାରେ ଶନିବାର ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ ଦେଇଥିବା ଏତଲାକୁ ଭିତ୍ତିକରି ପୋଲିସ ବଡ଼ବିଲ ଥାନାରେ କେସ୍‌ ନଂ-୨୫୫/୨୧ରେ ମାମଲା ରୁଜୁ ସହ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏତଲା ଅନୁଯାୟୀ, ଶୁକ୍ରବାର ରାତିରେ ଚମ୍ପୁଆ ଉପ-ଜିଲାପାଳ ବଡ଼ବିଲ ପୌର କାର୍ଯ୍ୟାଳୟକୁ ଯାଉଥିବା ସମୟରେ ବଡ଼ବିଲ ତହସିଲ ଛକ ତଥା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ଉଦ୍ୟମ କରି ଲୁଟ୍‌ ଉଦ୍ୟମ କରିଥିଲେ ଏବଂ କୌଣସି ମତେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ମୁକୁଳି ଯାଇଥିଲେ। ଏ ନେଇ ଶନିବାର ଉପଜିଲାପାଳ ପ୍ରୀତିମୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ତେବେ ଶୁକ୍ରବାର ରାତିରେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଏକ ଗୁରୁତର ଘଟଣା ଘଟିଥିଲେ ହେଁ ତୁରନ୍ତ ପୋଲିସକୁ କୌଣସି ସୂଚନା ଦିଆଯାଇ ନ ଥିବା ଜଣାପଡ଼ିଛି।