ଢେଙ୍କାନାଳ,୧୫।୧(ରତନ ନାୟାର) : ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ ବୁଦାରେ ପଡ଼ିଥିବା ଦେଖିଥିଲେ । ଶିଶୁପୁତ୍ରକୁ ଉଦ୍ଧାର କରି ଆଣି ସେ ଗ୍ରାମବାସୀ, ସ୍ଥାନୀୟ ଆଶା ଓ ଆଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ମଧ୍ୟ ଜଣାଇଥିଲେ । ମୁଷା ନିଜ ବାହାଘରର ୧୮ ବର୍ଷ ପରେ ମଧ୍ୟ ନିସନ୍ତାନ ଥିବାରୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ପନ୍ତ୍ରୀ ଶିଶୁପୁତ୍ରକୁ ପାଳିଥିଲେ। ପ୍ରାୟ ମାସକ ପରେ କୌଣସି ସୁତ୍ରରୁ ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗ , ଚାଇଲ୍ଡ ହେଲପ୍ଲାଇନର ସଦସ୍ୟମାନେ ପୋଲିସ ସହାୟତାରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କ କୋଳରୁ ଶିଶୁ ପୁତ୍ରଟିକୁ ଉଠାଇ ଆଣି ଶିଶୁ ମଙ୍ଗଳ ସମିତିରେ ହାଜର କରାଇ ଶିଶୁ ଗୃହରେ ନେଇ ରଖିଥିଲେ । ଏହାପରେ ଏହାର ପ୍ରତିବାଦରେ ମୁଷା ଓ ତାଙ୍କ ପତ୍ନୀ ଗ୍ରାମବାସୀଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୀବ୍ର ପ୍ରତିବାଦ କରିଥିଲେ। ଏପରିକି ମୁଷାଙ୍କ ପନ୍ତ୍ରୀ ବେକରେ ଲୁଗା ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ପୋଲିସ ପହଞ୍ଚି ଉଭୟଙ୍କୁ ଧରି ସେଥିରୁ ନିବୃତ୍ତ କରିଛି। ଫଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ , ଜିଲା ସମାଜ ମଙ୍ଗଳ ଅଧିକାରୀ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଓ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି।
Dharitri – The Largest & Most Trusted Odia Daily

