ଦିନ ଦ୍ବିପହରରେ ଲୁଟ୍‌ ଉଦ୍ୟମ, ତିନି ଜଣଙ୍କୁ ଅଟକ ରଖି ପଚରାଉଚରା

କେନ୍ଦୁଝର,୨୯।୧୨ (ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନାଠାରୁ କିଛି ଦୂରରେ ଏନ୍‌ଏଚ୍‌ ୨୦ରେ ଏକ ଲୁଟ୍‌ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କବିତ୍ରା ଗ୍ରାମର ଗଗନ ଜେନା ଓ ରାଜା ନାଏକ ଏବଂ ଅନ୍ୟ ଜଣେ ଘୁଟୁରୁ ଗ୍ରାମରେ ରହୁଥିବା ଅଣଓଡ଼ିଆ ଦିପୁ। ଏମାନଙ୍କୁ ଗ୍ରାମବାସୀ ଚିହ୍ନଟ କରି ପୋଲିସ ଜିମା ଦେଇଛନ୍ତି।
ପ୍ରକାଶ ଯେ ରାଇସୁଆଁ ଗ୍ରାମର ଜିଆ ଉଲ ହକ ନାମକ ଜଣେ ଯୁବକ ବାଇକ୍‌ରେ ବନାଯୋଡ଼ି ଟୋଲ ଗେଟ୍‌କୁ ଯାଉଥିବା ବେଳେ ଅପରାହ୍ନରେ ତିନି ଜଣ ଯୁବକ ଏକ ବାଇକ୍‌ରେ ପିଛା କରି ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ସେ ନ ଅଟକିବାରୁ ସେମାନେ ତାଙ୍କୁ ଗାଡ଼ିରୁ ଠେଲି ତଳେ ପକାଇ ଦେଇଥିଲେ। ସେ ପଡିଯିବା ପରେ ତାଙ୍କ ପାଖରୁ ୮ ହଜାର ଟଙ୍କା, ମୋବାଇଲ ଓ ବାଇକ୍‌ ଧରି ଫେରାର ହୋଇଯାଉଥିବା ବେଳେ ପାଖରେ ଥିବା ଗୋପିନାଥପୁର ଲୋକ ଧାଇଁ ଆସିବାରୁ ସେମାନେ ବାଇକ୍‌, ମୋବାଇଲ ଛାଡ଼ି ପଳାଇଯାଇଥିଲେ। ସେଥିରୁ ଜଣଙ୍କୁ ଗ୍ରାମବାସୀ ଧରି ଅଟକାଇଥିଲେ। ହେଲେ ଅନ୍ୟ ଦୁଇ ଜଣ ଖସିଯାଇଥିଲେ। ପରେ ଜଣଙ୍କୁ ହର୍ଷାପୁର ନିକଟରୁ ଓ ଅନ୍ୟ ଜଣଙ୍କୁ ପାଖ ଗ୍ରାମରୁ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।