ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୧ା୫: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୨୫୬/୨୩) ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ୯ ତାରିଖ ଅପରାହ୍ନରେ ମହିଳା ଜଣକ ଗାଁ ମୁଣ୍ଡରେ ଥିବା ଏକ କେନାଲରୁ ଗାଧୋଇବାକୁ ଯାଇଥିଲେ। ସେ ଘରକୁ ଫେରୁଥିବା ବେଳେ ରାସ୍ତା କଢରେ ଥିବା ଆମ୍ବଗଛରୁ ଆମ୍ବ ଗାଟାଉ ଥିଲେ। ସେତିକିବେଳେ ଗ୍ରାମର ଜଣେ ବ୍ୟକ୍ତି ପହଞ୍ଚି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ବେକରେ ଗୋଡ଼ ରଖି ତାଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ଗାଁ ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ବ୍ୟକ୍ତି ଜଣଙ୍କ ଚମ୍ପଟ ମାରିଥିଲେ ବୋଲି ମହିଳା ଜଣଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।