ଘର ନ ଛାଡ଼ିବାରୁ ଭଡ଼ାଟିଆଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩।୧୧: ଭଡ଼ାରେ ରହୁଥିବା ଜଣେ ମହିଳା ଘର ନ ଛାଡ଼ିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଗାନ୍ଧୀନଗର ତୃତୀୟ ଲାଇନ୍‌ରେ ରହୁଥିବା ସର୍ବେଶ୍ୱର ଦାସ ଓରଫ ବୁଢ଼ା(୪୨)। ପୋଲିସ ଅଭିଯୁକ୍ତ ବ୍ୟବହାର କରିଥିବା ପ୍ଲାଷ୍ଟିକ ଦଉଡ଼ି ଓ ଲୁହାଛଡ଼ ଆଦିକୁ ଜବତ କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୩୩୩/୨୨) ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ସର୍ବେଶ୍ୱରଙ୍କ ଘରେ ଶାରଦା ବେହେରା କିଛି ବର୍ଷ ହେଲା ଭଡ଼ାରେ ରହୁଥିଲେ। ସେ ଗତ କିଛିମାସ ହେଲା ଘର ଭଡ଼ା ନ ଦେଇ ସେଠାରେ ଜବରଦସ୍ତି ରହୁଥିଲେ। ଅନ୍ୟପକ୍ଷେ ଘର ମାଲିକ ସର୍ବେଶ୍ୱର ମହିଳାଙ୍କୁ ଘର ଛାଡ଼ିବାକୁ କହି ଆସୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଶନିବାର ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସର୍ବେଶ୍ୱର ଶାରଦାଙ୍କ ଚୁଟି ଧରି କାନ୍ଥରେ ପିଟିଦେଇଥିଲେ। ଏପରିକି ଏକ ପ୍ଲାଷ୍ଟିକ ରଶିରେ ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏକ ଲୁହାଛଡ଼ରେ ଘରେ ଥିବା ଶାରଦାଙ୍କ ଏକ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସର୍ବେଶ୍ୱରଙ୍କୁ ଗିରଫ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।