ଅଧିକ ଯୌତୁକ ଦାବି କରି ହତ୍ୟା ଉଦ୍ୟମ: ଥାନାରେ ପହଞ୍ଚିଲେ ମହିଳା

ବ୍ରହ୍ମପୁର ଅଫିସ,୨୮।୮: ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ଗୀତାଞ୍ଜଳି ପଣ୍ଡା ମହିଳା ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା(ନଂ.୧୫୬/୨୨) ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

ଅଭିଯୋଗ ମୁତାବକ, ୨୦୧୬ ମେ ୧୯ରେ ଶେରଗଡ଼ ଥାନା ଅଧୀନ ପରମାନନ୍ଦପୁର ଗ୍ରାମର ସଞ୍ଜୟ କୁମାର ପଣ୍ଡା ଉକ୍ତ ଗ୍ରାମର ଗୀତାଞ୍ଜଳି ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେତିକିବେଳେ ବାପ ଘର ଲୋକେ ଯୌତୁକ ବାବଦକୁ ସୁନା ଗହଣା, ଟଙ୍କା ସହ ଘରକରଣା ସାମଗ୍ରୀ ଦେଇଥିଲେ। ବିବାହର କିଛି ମାସ ପରେ ଗୀତାଞ୍ଜଳିଙ୍କୁ ସ୍ବାମୀ ସଞ୍ଜୟଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଅଧିକ ଯୌତୁକ ଦାବି କରିଥିଲେ। ଗୀତାଞ୍ଜଳୀ ଏନେଇ ତାଙ୍କ ବାପାଙ୍କୁ ଜଣାଇଥିଲେ। ହେଲେ ବାପାଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଦାବି କରୁଥିବା ଯୌତୁକ ଦେଇ ପାରି ନ ଥିଲେ। ଫଳରେ ଗୀତାଞ୍ଜଳିଙ୍କୁ ଶଶୁର ଘରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ପରେ ସଞ୍ଜୟ ତାଙ୍କ ସ୍ତ୍ରୀ’ଙ୍କୁ ନେଇ ସୁରାଟ ପଳାଇଥିଲେ। ସେଠାରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଏହାକୁ ନେଇ ସେଠାରେ ଗୀତାଞ୍ଜଳିଙ୍କୁ ତାଙ୍କ ସ୍ବାମୀ ଓ ଦିଅର ନିର୍ଯାତନା ଦେଇଥିଲେ। ଏପରିକି ଗୀତାଞ୍ଜଳିଙ୍କୁ ତାଙ୍କ ଦିଅର ହତ୍ୟା ଉଦ୍ୟମ କରିଥିଲେ। ସେଠାରୁ ସେ କୌଶଳ କ୍ରମେ ଖସି ଆସି ବାପ ଘରେ ପହଞ୍ଚିଥିଲେ। ଏନେଇ ଶନିବାର ଗୀତାଞ୍ଜଳି ଥାନାରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।