ଯୁବକଙ୍କୁ ହତ୍ୟା ଉଦ୍ୟମ: ୩ ଗିରଫ

ପୁରୁଷୋତ୍ତମପୁର,୨୨ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି। ଏନେଇ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।

ଶନିବାର ରାତିରେ କୁମାରୀ ଅଞ୍ଚଳର ସନ୍ତୋଷ କୁମାର ବେହେରା ନିଜ ମୋଟରସାଇକେଲ ଓଡି ୦୭ ଏଲ୍‌ ୩୫୨୦ ଯୋଗେ ରାଜପୁର ଗ୍ରାମକୁ ଯାଉଥିବା ବେଳେ କବିସୂର୍ଯ୍ୟନଗର- ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ବଡ଼ଶଙ୍ଖ ନିକଟରେ ତିନି ଜଣ ଯୁବକ ତାଙ୍କୁ ଅଟକାଇ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ କେନାଲ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରି ମୋଟରସାଇକେଲ, ମୋବାଇଲ ଓ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହାର ଖବର ପାଇ ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସଦଳବଳ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସନ୍ତୋଷଙ୍କ ଅଭିଯୋଗ ଅନୁଯାୟୀ, କେସ୍‌ ନଂ ୬୩୨/୨୧ପ୍ରକାରେ ମାମଲା ରୁଜୁ କରି ନିଜେ ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିବା ସହ ମୋଟରସାଇକେଲକୁ ଜବତ କରି ସନ୍ତୋଷଙ୍କୁ ହସ୍ତାନ୍ତର କରିଛନ୍ତି। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଣ୍ଠପଡ଼ା ଗ୍ରାମର ଅର୍ଜୁନ ନାହାକ (୨୮) ଓ ବଡ଼ଖରିଡ଼ା ଗ୍ରାମର ପବିତ୍ର ଦାଶ (୨୨), ଚନ୍ଦନ ନାହାକ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ କହିଛନ୍ତି।