ମହିଳା ଏଏସ୍‌ଆଇଙ୍କୁ ହତ୍ୟା ଉଦ୍ୟମ, ଗିରଫ ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୨୧ା୫: ଜଣେ ମହିଳା ଏଏସ୍‌ଆଇଙ୍କୁ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଶ୍ରୀରାମନଗର ତୃତୀୟ ଲାଇନର ରମେଶ ଚନ୍ଦ୍ର ସାହୁ (୪୭)। ଏନେଇ ପୋଲିସ ଏକ ମାମଲା (ନଂ.୧୬୬/୨୩) ରୁଜୁ କରି ଅଭିଯୁକ୍ତ ରମେଶଙ୍କୁ ରବିବାର କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ୨୦ବର୍ଷ ତଳେ ରମେଶ ଚନ୍ଦ୍ର ସାହୁ ଜ୍ୟୋତ୍ସ୍ନା ସାହୁଙ୍କୁ ବିବାହ କରିଥିଲେ। ଜ୍ୟୋତ୍ସ୍ନା ବର୍ତ୍ତମାନ ପୋଲସରା ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ବେଳେ ସ୍ବାମୀ ରମେଶ ବ୍ୟବସାୟ କରନ୍ତି। ସେମାନଙ୍କର ୧୭ ବର୍ଷର ଏକ ଝିଅ ରହିଥିବା ବେଳେ ୧୪ ବର୍ଷର ଏକ ପୁଅ ଅଛନ୍ତି। ଜ୍ୟୋତ୍ସ୍ନାଙ୍କୁ ତାଙ୍କ ସ୍ବାମୀ ବିଭିନ୍ନ କାରଣରୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସେ ଏହାକୁ ଘରୋଇ କଥା ଭାବି ସହ୍ୟ କରି ଆସୁଥିଲେ। ଗତ ଦୁଇଦିନ ତଳେ ରମେଶ ନୟାଗଡ଼ରୁ ଶ୍ରୀରାମନଗର ଘରକୁ ଫେରିଥିଲେ। ଶନିବାର ରାତିରେ ରମେଶ ସ୍ତ୍ରୀ ଜ୍ୟୋତ୍ସ୍ନାଙ୍କୁ ମାର୍‌ପିଟ କରିଥିଲେ। ପରେ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଘର ଭିତରେ ଥିବା ପୁଅ ଓ ଝିଅ ପ୍ରତିବାଦ କରିବା ସହ ଜରୁରିକାଳୀନ ସହାୟତା ସେବା ପାଇଁ ୧୧୨ ନମ୍ବରକୁ ଫୋନ କରି ଜଣାଇଥିଲେ। ପୋଲିସ ପହଞ୍ଚି ରମେଶଙ୍କୁ ଗିରଫ କରି ଥାନାକୁ ଆଣିଥିବା ବେଳେ ଆହତ ଜ୍ୟୋତ୍ସ୍ନାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା।