ବେଆଇନ ପଥର ଖାଦାନରେ ଚଢ଼ାଉ

ଢେଙ୍କାନାଳ ଅଫିସ,୯।୨: ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ଜୋରଦାର କରିଛି ଢେଙ୍କାନାଳ ଜିଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ଜିଲାପାଳ ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସଦର ବ୍ଲକ ଭାପୁରସ୍ଥିତ ଖାତା ନଂ. ୧୦୪, ପ୍ଲଟ ନଂ. ୨୮୬ରେ ଥିବା ୧ନଂ. ପଥର ଖଣିରେ ମଙ୍ଗଳବାର ସକାଳେ ଅତର୍କିତ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ବେଆଇନ ଭାବେ ପଥର ଖୋଳାରେ ବ୍ୟବହୃତ ୪ ହିଟାଚି ଜବତ ହୋଇଛି। ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଉକ୍ତ ଖଣିର ଲିଜ୍‌ ଅବଧି ୨୦୨୦ ଅକ୍ଟୋବର ୧୪ରୁ ଶେଷ ହୋଇଯାଇଛି। ଚୁକ୍ତି ଖିଲାପ କରି ସେଠାରୁ ବେଆଇନ ଭାବେ ପଥର ଖନନ କରାଯାଉଥିବା ସୂଚନା ପାଇବା ପରେ ଜିଲାପାଳଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ପୋଲିସ ସହ ମିଶି ଚଢ଼ାଉ କରିଥିଲେ। ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଆଇଏଏସ୍‌ ପ୍ରୋବେଶନର ବିଭୂତି ଭୂଷଣ ନାୟକ, ଭାରପ୍ରାପ୍ତ ତହସିଲଦାର ଅନୁପମା ମୁର୍ମୁ, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ସଦର ଥାନାଧିକାରୀ ଅଭିନବ ଡାଳୁଆ, ରାଜସ୍ବ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।