ସରପଞ୍ଚଙ୍କୁ ଆକ୍ରମଣ,ଥାନାରେ ମାମଲା

ହିଞ୍ଜିଳିକାଟୁ, ୬।୧୦(ଡି.ଏନ.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ୍‌ ଅନ୍ତର୍ଗତ ତହଁର ସରପଞ୍ଚ ଶିବରାମ ମେହେଣାଙ୍କୁ କାଞ୍ଜିଆମା ଗ୍ରାମରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ କାଞ୍ଜିଆମା ଗ୍ରାମରେ କୋଠିଶାଳ ଯାତ୍ରାକୁ ସରପଞ୍ଚଙ୍କୁ ପୂଜା କମିଟି ନିମନ୍ତ୍ରଣ କରିଥିଲେ। ସରପଞ୍ଚଙ୍କ ସମେତ ତାଙ୍କର କିଛି ସହଯୋଗୀ କାଞ୍ଜିଆମା କୋଠିଶାଳ ପୂଜାକୁ ଯାଇଥିଲେ। ସେଠାରେ ପ୍ରାୟ ୧୦ ଜଣ ପୂର୍ବ ଶତ୍ରୁତାକୁ ନେଇ ମେହେଣାଙ୍କୁ ଗାଳିଗୁଲଜ ସହ ତଳେ ପକାଇ ଆକ୍ରମଣ କରିଥିଲେ। ତେବେ ଅନ୍ୟ କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ସରପଞ୍ଚ ମେହେଣା ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ନଂ ୫୩୬/୨୨ରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ କାଞ୍ଜିଆମା ଗ୍ରାମର ଲକ୍ଷ୍ମୀ ଜେନା ନାମକ ମହିଳା ସରପଞ୍ଚଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ସରପଞ୍ଚ ମେହେଣା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଧମକ ଦେଇଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଥାନାରେ ଏଥିନେଇ ନଂ ୫୩୭/୨୨ରେ ମାମଲା ରୁଜୁ ହୋଇଛି। ପୋଲିସ ଉଭୟ ମାମଲାର ତଦନ୍ତ ଜାରି ରଖିଛି।