ବଢ଼ୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ: ବଟି ନ ଦେବାରୁ ବ୍ୟବସାୟୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୪ା୧୨: ବ୍ରହ୍ମପୁର ସହରରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୨ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅଧୀନ ବଡସାହିରେ ଏକ ଭେରାଇଟି ଷ୍ଟୋର ମାଲିକ ରାମ ଶାହାଙ୍କୁ କେତେଜଣ ଅସାମାଜିକ ବ୍ୟକ୍ତି ଦୋକାନ ବନ୍ଦ କରିବାକୁ ଧମକ ଦେଇଥିଲେ। ଏପରିକି ମାସିକ ୧ହଜାର ଟଙ୍କା ବଟି ଦେବାକୁ ଦାବି କରିଥିଲେ। ଦୋକାନ ମାଲିକ ରାମ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିବା ସହ ବଟି ନ ଦେଲେ ବୋମା ପକାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଏନେଇ ରାମ ଥାନାରେ ଏକ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୨୩୨/୨୨) ରୁଜୁ କରି ଭେରାଇଟି ଷ୍ଟୋର ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହା ପୂର୍ବରୁ ଗତ ୨୫ ତାରିଖ ରାତିରେ ଆସିକାର ଜଣେ ଶିକ୍ଷକ ଡ଼ମ୍ବୁରୁଧର ଭୂୟାଁ କଟକରୁ ବ୍ରହ୍ମପୁର ଫେରୁଥିଲେ। ବୈଦ୍ୟନାଥପୁର ଥାନା ନିକଟରେ ୩ରୁ ୪ଜଣ ଦୁର୍ବୃତ୍ତ ବାଇକ୍‌ ଅଟକାଇ ତାଙ୍କୁ ଆକ୍ରମଣ କରି ବେକରୁ ସୁନାଚେନ, ୨୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ସେ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ସେହିପରି ଗତ ୨୮ ତାରିଖରେ ଟାଉନ ଥାନା ଅଧୀନ ସୁରଜ ବିହାରରେ ରହୁଥିବା ସୁମିତ୍ରା ମହାପାତ୍ରଙ୍କ ଘରୁ ୧୩୦ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା।