ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା ଲାଗିରହିଛି। ବିଡିଓଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିଜେଡି କର୍ମୀମାନେ ଦେବେନ୍ଦ୍ର ଜେନାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ମୋହନ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଜାରି ରଖିଛନ୍ତି।
ସୂଚନା ଥାଉକି, ଶୁକ୍ରବାର କେତେକ ଭାଜପା କର୍ମୀ ଆମ ସରକାର ଆମ କାମ କର ବୋଲି ବିଡିଓ ଶ୍ରୀମତୀ ପୃଷ୍ଟିଙ୍କୁ କହିଥିଲେ। ସେ ସରକାରୀ ନିୟମ ଅନୁସାରେ କାମ ହେବ ବୋଲି କହିବାରୁ ଏଠିକାର ପରାଜିତ ପ୍ରାର୍ଥୀ ଲଳିତ ବେହେରା ତାଙ୍କ କର୍ମୀଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ପଶି ଆତଙ୍କ ଖେଳାଇଥିବା ବିଜେଡି ଅଭିଯୋଗ ଆଣିଛି। ଅପରପକ୍ଷରେ ୬ ମାସ ଭିତରେ ୯ ଜଣ ବିଡିଓଙ୍କ ବଦଳି ହୋଇସାରିଲାଣି।
ଉଲ୍ଲେଖନୀୟ ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିତରକନିକା ଗସ୍ତରେ ଥିବାବେଳେ ରାଜନଗର ମୁଖ୍ୟ ରାସ୍ତାରେ ବିଜେଡି ପ୍ରତିବାଦ କରିବାରୁ ସେ ସେଠାରୁ ଭୁବନେଶ୍ୱର ଫେରି ଯାଇଥିଲେ।


