ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ ସରକାର ଦୃଢ଼ ନିନ୍ଦା କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଅନୁଯାୟୀ ପ୍ରଥମ ଜାହାଜ ‘ଏମ୍ଟି ପେଟ୍ରୋ ଡଲଫିନ’ ଉପରେ ରବିବାର ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏମ୍ଟି ପେଟ୍ରୋ ଡଲ୍ଫିନ ଉପରେ ଡ୍ରୋନ ଆକ୍ରମଣ ହୋଇଥିବା ବେଳେ ଏଥିରେ ଥିବା ୧୧ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ୨ ଜଣ ନିଖୋଜ ଅଛନ୍ତି। ମାର୍ଶାଲ ଦ୍ୱୀପପୁଞ୍ଜର ପତାକା ଥିବା ‘ଏମ୍ଟି ଭାଲଥେରା’ ନାମକ ଅନ୍ୟ ଏକ ଟ୍ୟାଙ୍କର୍ ଉପରେ ଏକ ଅଜଣା କ୍ଷେପଣାସ୍ତ୍ର/ପ୍ରୋଜେକ୍ଟାଇଲ ବାଜିବାରୁ ଜାହାଜରେ ନିଆଁ ଲାଗିଯାଇଥିଲା। ତେବେ ଏମ୍ଟି ଭାଲଥେରାରେ ଥିବା ସମସ୍ତ ୧୧ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ମସ୍କାଟରେ ଥିବା ଭାରତୀୟ ଦୂତାବାସ ଏହି ସ୍ଥିତି ଉପରେ ନଜର ରଖିଛି। ନିଖୋଜ ଭାରତୀୟଙ୍କ ଉଦ୍ଧାର ଏବଂ ଜାହାଜ କର୍ମଚାରୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ପାଇଁ ଓମାନ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଜାହାଜ ପରିଚାଳନା କମ୍ପାନୀଗୁଡ଼ିକ ସହ ଯୋଗାଯୋଗ କରାଯାଉଛି। ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଚାଲିଥିବା ବିବାଦର ସମାଧାନ କରିବା ସହ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଆହ୍ବାନ ଦେଇଛି। ବାଣିଜି୍ୟକ ଜାହାଜ, ନାବିକ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ ହେବା ଉଚିତ ବୋଲି ମନ୍ତ୍ରଣାଳୟ କହିଛି।