କିଭ୍,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏଥିରେ ସହରର ଅତିକମ୍ରେ ୨୦ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରୁଷିଆର ତୈଳ ପ୍ରତିଷ୍ଠାନଗୁଡ଼ିକ ଉପରେ ୟୁକ୍ରେନର ଆକ୍ରମଣର ପ୍ରତିଶୋଧ ସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମସ୍କୋ କହିଛି।
ରାତି ସାରା ୟୁକ୍ରେନ୍ର ରାଜଧାନୀରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। କର୍ତ୍ତୃପକ୍ଷ ବିମାନ ଆକ୍ରମଣ ସତର୍କ ସୂଚନା ଜାରି କରିବା ପରେ ଅନେକ ଲୋକ ସବ୍ଓ୍ବେ ଷ୍ଟେଶନଗୁଡ଼ିକରେ ଆଶ୍ରୟ ନେଇଥିଲେ। ସକାଳ ହେବା ପରେ ମଧ୍ୟ ଜରୁରିକାଳୀନ ବାହିନୀ ଭାଙ୍ଗିଯାଇଥିବା ଓ ଜଳିଯାଇଥିବା ଆପାର୍ଟମେଣ୍ଟ ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ପୀଡ଼ିତମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ୟୁକ୍ରେନ୍ର ଦୂରଗାମୀ ଆକ୍ରମଣ ଯୋଗୁ ରୁଷିଆରେ ତୀବ୍ର ଇନ୍ଧନ ଅଭାବ ଦେଖାଦେଇଛି ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଉପରେ ଚାପ ସୃଷ୍ଟି ହୋଇଛି। ଫଳରେ ଏହାର ଜବାବରେ ଏହି ବୋମା ବର୍ଷଣ କରାଯାଇଛି। ୟୁକ୍ରେନର ବଡ଼ଧରଣର ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ‘୪୦-ଦିନର ବ୍ଲିଜ୍’ ବା ଘନ ଘନ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଏଥିରେ ତୈଳ ବିଶୋଧନାଗାରଗୁଡ଼ିକୁ ମୁଖ୍ୟତଃ ଟାର୍ଗେଟ୍ କରାଯାଇଛି। ଏହାଦ୍ୱାରା ରୁଷିଆରେ ଇନ୍ଧନ ସଙ୍କଟ ସୃଷ୍ଟି ହୋଇଥିବାରୁ ରୁଷୀୟବାସୀ ନିରାଶ ହୋଇଛନ୍ତି। ମସ୍କୋ ପକ୍ଷରୁ ପଡ଼ୋଶୀ ଦେଶ ଉପରେ ପୂର୍ଣ୍ଣମାତ୍ରାରେ ଆକ୍ରମଣ କରାଯିବାର ୪ ବର୍ଷରୁ ଅଧିକ ସମୟ ପରେ ଏହି ସ୍ଥିତି ଉପୁଜିଛି। ୟୁକ୍ରେନର ଅଧିକାରୀମାନେ କହିଛନ୍ତି, ସେମାନେ ପୁଟିନ୍ଙ୍କୁ ଆଲୋଚନା ଟେବୁଲକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ମସ୍କୋର ଜବାବ କେବଳ ପଲଟା ଆକ୍ରମଣ କରିବାରେ ରହିଛି।
ଯୁଦ୍ଧ ଶେଷ କରିବା ପାଇଁ ନିକଟରେ ଟ୍ରମ୍ପ୍ ପ୍ରଶାସନ ଦ୍ୱାରା କରାଯାଇଥିବା କୂଟନୈତିକ ପ୍ରୟାସର କୌଣସି ସଫଳ ପରିଣାମ ମିଳିନାହିଁ। ପାଶ୍ଚାତ୍ୟ ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ, ପୁଟିନ୍ ଭାବୁଛନ୍ତି ଯେ ସମୟ ତାଙ୍କ ସପକ୍ଷରେ ଅଛି। କିନ୍ତୁ ପାଶ୍ଚାତ୍ୟ ସହଯୋଗ ଧୀରେ ଧୀରେ କମିଯିବ ଏବଂ ରଣନୀତିକ ବୋମା ବିସ୍ଫୋରଣର ଚାପରେ ୟୁକ୍ରେନ୍ର ପ୍ରତିରୋଧ ଶେଷରେ ଭାଙ୍ଗି ପଡ଼ିବ।
କିଭ୍୍ ସିଟି ପ୍ରଶାସନର ମୁଖ୍ୟ ତିମୁର ତକାଚେଙ୍କୋଙ୍କ କହିବା ଅନୁଯାୟୀ, କିଭ୍ ଉପରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ଲିଭ ମେୟର ଭିଟାଲି କ୍ଲିଟ୍ସକୋଙ୍କ ସୂଚନା ଅନୁସାରେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା କହିଛନ୍ତି, ରାଜଧାନୀରେ ଏହା ଏକ ‘ଭୟଙ୍କର ରାତି’ ଥିଲା। ତିମୁର ତକାଚେଙ୍କୋଙ୍କ ଅନୁଯାୟୀ, ସହରର ୩୦ଟି ସ୍ଥାନରେ କ୍ଷୟକ୍ଷତି ରେକର୍ଡ କରାଯାଇଛି, ଯେଉଁଥିରେ ମୁଖ୍ୟତଃ ଆବାସିକ ଗୃହ ଏବଂ ସାଧାରଣ ନାଗରିକଙ୍କ ଭିତ୍ତିଭୂମି ସାମିଲ ରହିଛି।
ଅନ୍ୟପକ୍ଷରେ ମସ୍କୋର ପୂର୍ବରେ ଅବସ୍ଥିତ ନିଜନି ନୋଭଗୋରୋଡ ଅଞ୍ଚଳରେ ରୁଷିଆର ଅନ୍ୟତମ ବୃହତ୍ତମ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ସେନା ରାତିଅଧରେ ଆକ୍ରମଣ କରି ଏକ ଅଗ୍ନିକାଣ୍ଡ ଘଟାଇଛି ବୋଲି ୟୁକ୍ରେନର ଜେନେରାଲ ଷ୍ଟାଫ୍ କହିଛନ୍ତି। ଏହା ସହିତ ରୁଷିଆ ଅଧିକୃତ ଲୁହାନସ୍କ ଅଞ୍ଚଳର ସିଭେରସ୍କି ଡୋନେଟ୍ସ ନଦୀ ଉପରେ ଥିବା ଏକ ରେଳ ପୋଲ ଉପରେ ମଧ୍ୟ ୟୁକ୍ରେନ ସେନା ଆକ୍ରମଣ କରିଥିବା ଏଥିରେ କୁହାଯାଇଛି। ଜେନେରାଲ ଷ୍ଟାଫ୍ ଅନୁଯାୟୀ, ରୁଷିଆ ସେନା ଦ୍ୱାରା ସୈନ୍ୟ, ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସାମଗ୍ରୀ ପରିବହନ ପାଇଁ ଏହି ବ୍ରିଜ୍ ବ୍ୟବହାର କରାଯାଉଥିଲା।