ସାମୁହିକ ଭୋଜନ ବେଳେ ଯୁବକଙ୍କୁ ଆକ୍ରମଣ: ବନ୍ଧା ହେଲେ ୨

ବ୍ରହ୍ମପୁର ଅଫିସ,୨୮ା୧୧: ହତ୍ୟା ଉଦ୍ୟମ ମାମଲାରେ ବ୍ରହ୍ମପୁର ସଦର ଥାନା ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆ ଯୋଗିଆପଲ୍ଲୀର ଜୀବନ ଦାସ(୨୪) ଓ ଲିଲୁ ନାୟକ(୧୯)। ପୋଲିସ ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଲୁହାଛଡ଼ ଓ ଠେଙ୍ଗା ଜବତ କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୫୬୩/୨୨)ରେ ଅଭିଯୁକ୍ତ ଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। କୋର୍ଟର ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, ଗତ ୨୨ ତାରିଖ ପୂର୍ବାହ୍ନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୁରୁଣ୍ଠି ଗ୍ରାମରେ ଶାସକ ଦଳ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଗୁରୁଣ୍ଠି କାଶୀବିଶ୍ୱନାଥ ମନ୍ଦିରରେ ଏକ ସାମୁହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନରେ ଜୀବନ ଦାସ ଓ ତାଙ୍କର ସାଙ୍ଗ ଲିଲୁ ନାୟକ ସେଠାରେ ପହଞ୍ଚି ଖାଇବାକୁ ମାଗିଥିଲେ। ପୃଥିବୀ ନାୟକ ସେମାନଙ୍କୁ ଖାଇବା ସରିଯାଇଥିବା ନେଇ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଶେଷରେ ଜୀବନ ଓ ତାଙ୍କ ସାଙ୍ଗ ଲିଲୁ ଉଭୟେ ମିଶି ପୃଥିବୀଙ୍କୁ ଲୁହାଛଡ଼ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୃଥିବୀଙ୍କ ଚିତ୍କାର ଶୁଣି ଗ୍ରାମର ଲୋକମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ପରେ ଜୀବନ ଓ ତାଙ୍କ ସାଙ୍ଗ ସେଠାରେ ପୃଥିବୀଙ୍କୁ ଛାଡି ଦୌଡ଼ି ପଳାଇଥିଲେ। ପୃଥିବୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ।