ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ ଓ ତାଙ୍କ ଦୁଇ ପୁଅ ଅମୂଲ୍ୟ ସାହୁ, ମୁନା ସାହୁଙ୍କୁ ଗିରଫ କରିଛନ୍ତି। ଗତ ରବିବାର ସକାଳେ ରାସ୍ତା ଉପରେ ମାଟି ପକାଇ ଅବରୋଧ କରାଯାଇଥିବା ଘଟଣାକୁ ରବୀନ୍ଦ୍ର ବିରୋଧ କରି ବାବୁ ସାହୁଙ୍କୁ ପଚାରିଥିଲେ। ଏଥିରେ ଉତ୍ତେଜିତ ହୋଇ ବାବୁ ଓ ତାଙ୍କ ଦୁଇ ପୁଅ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ରବୀନ୍ଦ୍ରଙ୍କ ପୁଅ ସାଗର ସାହୁ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତିରଞ୍ଜନ ବେହେରା ମାମଲା ନଂ.୨୪୭/୨୬ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ରମାକାନ୍ତ ଶବର ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ସମୁଦାୟ ଘଟଣାର ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା -୩୫(୩) ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ପରାମର୍ଶ ଦେଇ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share