କାହାକୁ ପଚାରି ଏମିତି କରିଛ: ବର୍ଷିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ ଥିବା ଅନସ୍ଲୋ ସରକାରୀ ହାଇସ୍କୁଲକୁ ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ ତେବେ କ୍ଲାସ ରୁମ ଭଲ କାନ୍ଥର ପଲସ୍ତରା ଛଡାଇ ପୁଣି ପଲସ୍ତରା କରାଯାଉଥିବା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ। କିଏ କହିଲା ଓ କାହାକୁ ପଚାରି ଏମିତି କରିଛ ଓ ଅଯଥା ଟଙ୍କା ଖର୍ଚ୍ଚ କରୁଛ ବୋଲି ଜିଲାପାଳ କହିଥିଲେ। ଏ ନେଇ ଛତ୍ରପୁର ବ୍ଲକ ସହକାରୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡାଙ୍କ ଉପରେ ଜିଲାପାଳ ବର୍ଷିଥିଲେ ଏଭଳି କାମ ନ କରିବାକୁ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅଯଥା କାମ ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ଜଣାପଡିଛି।