ଅପହୃତ ଏଏସ୍‌ଆଇଙ୍କୁ ହତ୍ୟା କଲେ ମାଓବାଦୀ, ଅଟକାଇଲେ ଯାତ୍ରୀବାହୀ ଟ୍ରେନ୍‌; ଲଗାଇଲେ ପୋଷ୍ଟର

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଜଣେ ପୋଲିସ ଏଏସ୍‌ଆଇଙ୍କୁ ଅପହରଣର ତିନିଦିନ ପରେ ମାଓବାଦୀମାନେ ଶୁକ୍ରବାର ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଡିଆରଜି ଯବାନ ଭାବେ କାର୍ଯ୍ୟ କରୁଥିବା ମୁରଲି ତାତି ଗତ ଛୁଟିରେ ନିଜ ଗଁା ବିଜାପୁର ଜିଲା ଗାଙ୍ଗଲୁର ଥାନା ପାଲନାଡ଼ାଗାଁକୁ ଯାଇଥିଲେ ା ଏହି ସମୟରେ ଗ୍ରାମ ନିକଟ ଅନ୍ୟ ଏକ ଗ୍ରାମର ମେଳାକୁ ଯାଇଥିଲେ। ସେଠାରୁ ୪ ମାଓବାଦୀ ତାଙ୍କୁ ଅପହରଣ କରି ନେଇ ଗତକାଲି ପ୍ରଜାକୋର୍ଟରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ପରେ ଏକ ଚିଠିରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ମୁରଲି ତାତି ଜଣେ ଆଦିବାସୀ ହୋଇ ଆଦିବାସୀଙ୍କୁ ଶୋଷଣ କରିବା ସହ ମାଡ଼ ମାରୁଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଜଙ୍ଗଲ ମଧ୍ୟରେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ର ବଗି ଏବଂ ଇଞ୍ଜିନ ଅଲଗା କରିବା ସହ ଏକ ଯାତ୍ରୀ ବାହୀ ଟ୍ରେନ୍‌କୁ ବି ଅଟକାଇଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ବଗି ଏବଂ ଇଞ୍ଜିନ୍‌ ସଂଯୋଗ କରିଥିଲେ। ରେଳ ବଗିରେ ମାଓବାଦୀମାନେ ଅପରେଶନ ପ୍ରହାର-୦୩କୁ ବିରୋଧ କରିବା ସହ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟର ଲଗାଇଥିଲେ।