ଏଏସ୍‌ଆଇ ଗୋପାଳଙ୍କ ଘର ବ୍ରହ୍ମପୁର

ଝାରସୁଗୁଡ଼ା ଅଫିସ୍‌,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ନିଜ ରିଭଲଭର୍‌ରୁ ଗୁଳିମାରିଥିବା ପୋଲିସ୍‌ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ହୋଇଥିବାବେଳେ ସେ କନଷ୍ଟେବଳ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ। ତା’ ପରେ ପଦୋନ୍ନତି ପାଇ ସେ ଏଏସ୍‌ଆଇ ହୋଇଥିଲେ। ଏହି ପଦୋନ୍ନତି ପରେ ସେ ଝାରସୁଗୁଡ଼ା ଜିଲାରେ ଯୋଗଦାନ କରିଥିଲେ। ସେ ଏବେ ବ୍ରଜରାଜନଗର ଥାନା ଅଧିନ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ବନହରପାଲି ଥାନା, ବେଲ୍‌ପାହାଡ ଥାନା ଆଦିରେ କାର୍ଯ୍ୟ କରିଥିବା ଜଣାପଡିଛି। ସେ ଜଣେ ପୋଲିସ୍‌ ଏଏସ୍‌ଆଇ ହୋଇ ଜଣେ ମନ୍ତ୍ରୀଙ୍କ ଉପରକୁ କାହିଁକି ଅତର୍କିତ ଗୁଳିଚଳାଇଲେ ତାହା ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ଦାସଙ୍କୁ ଅଟକରଖି ପୋଲିସ୍‌ ପଚରାଉଚରା ଚଳାଇଛି।
ଅଭିଯୁକ୍ତ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିଲେ: ଫାଣ୍ଡି ଅଧିକାରୀ
ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ତାଙ୍କର କାର୍ଯ୍ୟ ସମ୍ପର୍କରେ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ କହିଛନ୍ତି, ସେ ଗତ ୨୦୨୦ରୁ ଏଠାରେ କାର୍ଯ୍ୟରତ ଅଛନ୍ତି। ସେ ତାଙ୍କର ଡ୍ୟୁଟି ସ୍ବଭାବିକ ଭାବେ କରୁଥିଲେ। କୌଣସି ଅସ୍ବାଭାବିକ ପରିସ୍ଥିତି କେବେ ଦେଖିବାକୁ ମିଳିନାହିଁ ବୋଲି ସେ କହିଛନ୍ତି।
୪ ମାସ ହେଲା ଚିକିତ୍ସା ପାଇଁ ଛୁଟି ମିଳୁ ନ ଥିଲା: ସ୍ତ୍ରୀ
ବ୍ରହ୍ମପୁର ଅଫିସ,୨୯ା୧: ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଦୀର୍ଘବର୍ଷ ହେଲା ମାନସିକ ରୋଗ ଔଷଧ ଖାଉଥିଲେ ବୋଲି ସ୍ତ୍ରୀ ଜୟନ୍ତୀ ଦାସ କହିଛନ୍ତି। ଔଷଧ ଖାଇଲେ ଭଲ ରହୁଥିଲେ। କିଛିଦିନ ପରେ ପୁଣି ଅସୁସ୍ଥ ହୋଇପଡୁଥିଲେ। କିଛିମାସ ତଳେ ଅସୁସ୍ଥ ଥିବା ଜାଣି ଆମେ ଛୁଟି ପାଇଁ ଆବେଦନ କରିଥିଲୁ, କିନ୍ତୁ ଉପରିସ୍ଥ ଅଧିକାରୀମାନେ ୪ମାସ ହେଲା ଛୁଟି ଦେଇ ନ ଥିଲେ। ଯେତେବେଳେ ମାନସିକ ରୋଗ ବାହାରୁଥିଲା ସେତେବେଳେ ତାଙ୍କ କଥାବାର୍ତ୍ତା ଅସ୍ବାଭାବିକ ରହୁଥିଲା। ଗୋପାଳ ବ୍ରହ୍ମପୁର ତହସିଲ ଅଫିସ ସମ୍ମୁଖ ଦି’ମାଇଣ୍ଡ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। କୋଭିଡ୍‌ ସଂକ୍ରମଣ ପରେ ଆଉ ଡାକ୍ତରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ଅନ୍ୟପକ୍ଷରେ ଗୁଳିକାଣ୍ଡର ଘଣ୍ଟାଏ ପୂର୍ବରୁ ସେ ଭିଡିଓ କଲ୍‌ରେ କଥା ହୋଇଛନ୍ତି ବୋଲି ସ୍ତ୍ରୀ ସୂଚନା ଦେଇଥିଲେ।
ଗୋପାଳ ବାଇପୁଲାର ଡିଜ୍‌ଅର୍ଡର ରୋଗୀ ଥିଲେ: ଡାକ୍ତର
ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞ ଡା. ଚନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, ଗୋପାଳ ବାଇପୁଲାର ଡିଜ୍‌ଅର୍ଡର (ମନର ଉନ୍ମାଦ) ରୋଗରେ ଆକ୍ରାନ୍ତ ଥିଲେ। ୫ବର୍ଷ ତଳେ ସେ ନିୟମିତ ଆସୁଥିଲେ। କିନ୍ତୁ ଦୀର୍ଘବର୍ଷ ହେଲା ସେ ଆସିନାହାନ୍ତି। ଏହି ରୋଗ ହେଲେ ସାଧାରଣତଃ ଉତ୍ପାତ ହେବେ, ରାଗିବେ, ଶୋଇବେ ନାହିଁ ଏବଂ ହିଂସାପ୍ରବଣ ହେବେ ବୋଲି ଡା. ତ୍ରିପାଠୀ କହିଛନ୍ତି। ଯଦିଓ କେତେବେଳେ ଆସିଛନ୍ତି, ତେବେ ଔଷଧ ସମ୍ପର୍କରେ ପଚାରିବାକୁ ଆସିଥାଇପାରନ୍ତି। ବର୍ଷେ ତଳେ ଆସିଥିଲେ, ସେତେବେଳେ ମାନସିକ ସ୍ଥିତି ଠିକ୍‌ ଥିଲା ବୋଲି ଡା. ତ୍ରିପାଠୀ କହିଛନ୍ତି।