ମାର୍କେଟ୍‌ ଗଲେ ମାଡ଼, ଘରେ ପରିବା ବିକୁଛନ୍ତି ଚାଷୀ

ରାଇକିଆ,୧୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଏବଂ ଏହାର ଆଖପାଖ ୧୩ଟି ଗ୍ରାମ ଗତ ୮ ଦିନ ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ପରେ କଡ଼ା କଟକଣା ମଧ୍ୟରେ ରହିଛି। ଲୋକଙ୍କୁ ବାହାରକୁ ବାହାରିବା ମନା। ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ। ଏହାର ସିଧା ପ୍ରଭାବ କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ଉପରେ ପଡୁଛି। ଯେଉଁ ଚାଷୀମାନଙ୍କ ପନିପରିବା ଉତ୍ପାଦନ ହେଉଛି ତାହା ବଜାରକୁ ଆଣି ଆଉ ବିକ୍ରିବଟା ହୋଇ ପାରୁନାହିଁ। ଅତ୍ୟନ୍ତ କମ୍‌ ଦରରେ ନିଜ ଗାଁରେ ଘରେ ରହି ବିକ୍ରି କରୁଛନ୍ତି। ଏ ନେଇ ଗମାଣ୍ଡି ଅଞ୍ଚଳର ଜଣେ ଚାଷୀ ସନ୍ତୋଷ ଦିଗାଲ କୁହନ୍ତି, କଡ଼ା କଟକଣା ଥିବାରୁ ବଜାରକୁ ଗଲେ ପୋଲିସ ମାଡ଼ ଖାଇବାକୁ ପଡୁଛି। ମାଡ଼ ଖାଇବା ଅପେକ୍ଷା କମ୍‌ ଦର୍‌ରେ ହେଉ ପଛେ ଘରେ ରହି ବିକ୍ରି କରୁଛନ୍ତି ।