Categories: ଫୁରସତ

ପୁରୁଣା ଜିନ୍ସରେ କଳାକୃତି

ଭୋପାଳ: ପୁରୁଣା ଜିନ୍ସରେ ତିଆରି ହୋଇଛି କଳାକୃତି। ଏକଥା ଶୁଣିବାକୁ ଅବଶ୍ୟ ଟିକିଏ ଭିନ୍ନ ମନେ ହେଉଥିବ। କିନ୍ତୁ ଏଭଳି ଏକ କଳାକୃତି ତିଆରି କରିଛନ୍ତି ମଧ୍ୟପ୍ରଦେଶର ଇନ୍ଦୋରର କଳାକାରମାନେ। ୨୧ ଜଣ କଳାକାର ମିଶି ପୁରୁଣା ଜିନ୍ସ କପଡ଼ାକୁ ଏକାଠି କରି ଏହି କଳାକୃତି ତିଆରି କରିଛନ୍ତି। ତେବେ ଭିନ୍ନ ଭାବରେ ତିଆରି ହୋଇଥିବା ଏହି କଳାକୃତି କେବଳ ଆକର୍ଷଣୀୟ ନୁହେଁ ଏହା ଏବେ ଲୋକଙ୍କୁ ସଚେତନ ବି କରୁଛି।
ଇନ୍ଦୋରର ପାଞ୍ଚୋଟି ମୁଖ୍ୟ ସ୍ଥାନରେ ଏବେ ଜିନ୍ସରେ ତିଆରି କଳାକୃତି ଲାଗିଥିବା ଦେଖିବାକୁ ମିଳୁଛି। ପୁରୁଣା ଜିନ୍ସକୁ ଛୋଟ ଛୋଟ କରି ଏକ କାଠ ଉପରେ ସୁନ୍ଦର ଡିଜାଇନ୍‌ କରି ଲଗାଯାଇଛି। ଏହି କଳାରେ ଜଣେ ପିଲାକୁ ମାସ୍କ ପିନ୍ଧାଇ ବସାଯାଇଛି। ଜିନ୍ସ କପଡ଼ାରେ ତିଆରି କଳାକୃତିରେ ପିଲାଟି ହାତଯୋଡ଼ି ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛି। ସହରର ମୁଖ୍ୟ ଛକଗୁଡ଼ିକରେ ଏଭଳି ଏକ ଭିନ୍ନ ଧରଣର କଳାକୃତି ଲଗାଯାଇଥିବାରୁ ଏହା ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି।
ମୋଟ ୨୧ଜଣ କଳାକାର ମିଶି ଏଭଳି କଳାକୃତି ତିଆରି କରିଛନ୍ତି। ଏହାକୁ ତିଆରି କରିବା ନିମନ୍ତେ ସେମାନେ ବିଭିନ୍ନ ଲୋକଙ୍କୁ ଠାରୁ ପୁରୁଣା ଜିନ୍ସ ସଂଗ୍ରହ କରିଥିଲେ। ତେବେ ମୋଟ ୧୫୦୦ ପୁରୁଣା ଜିନ୍ସକୁ ଏକାଠି କରି ଏହି କଳାକୃତି ତିଆରି କରାଯାଇଛି। ଏଭଳି ଏକ କଳାକୃତି ନିମନ୍ତେ କଳାକାରମାନଙ୍କୁ ଲୋକେ ପ୍ରଶଂସା କରୁଛନ୍ତି।

Share