ଲୋଇସିଂହା, ୧୦।୧ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ସାପ୍ତାହିକ ବଜାର ପଡିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି କଳାକାର ସାମିଲ ହୋଇଥିବାବେଳେ ବ୍ଲକ କଳାକାର ସଂଘର ବହୁ ସଦସ୍ୟ ଆସି ନ ଥିବା ଜଣାପଡିଥିଲା। ବ୍ଲକ କଳାକାର ସଂଘର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କ ପ୍ରରୋଚନାରେ ବ୍ଲକ ଅଞ୍ଚଳର କଳାକାର ସାମିଲ ହୋଇ ନ ଥିବା ଆଲୋଚନା ହୋଇଥିଲା। ଏନେଇ ଶୁକ୍ରବାର ସ୍ଥାନୀୟ ଷ୍ଟାଡିୟମ ପରିସରେ ବ୍ଲକ କଳାକାର ସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ପଷ୍ଟୀକରଣ ଦିଆଯାଇଛି। ବ୍ଲକ ପ୍ରଶାସନର ଟାଳଟୁଳ ନୀତିକୁ ଦାୟୀ କରିବା ସହିତ କଳାକାର ଭତ୍ତା ବନ୍ଦ ଧମକକୁ ନେଇ ସଂଘ ବର୍ଷିଛି। ୧୯୫ ହିତାଧିକାରୀଙ୍କ ମଧ୍ୟରୁ କାହାର ବି କଳାକାର ଭତ୍ତା ବନ୍ଦ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ। ସେତେବେଳେ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘ ସଭାପତି ସରୋଜ ବିଶାଳ କହିଛନ୍ତି, ପଞ୍ଚାୟତର ସରପଞ୍ଚଙ୍କ ଦ୍ବାରା ମନୋନୀତ କଳାକାରଙ୍କୁ ଚଳିତ ବ୍ଲକସ୍ତରୀୟ ଲୋକ ଉତ୍ସବରେ କଳା ପରିବେଷଣ ପାଇଁ ଅନୁମତି ଦିଆଯିବ। ଗୋଟିଏ ପଞ୍ଚାୟତରୁ ଦଳୀୟ ବିଭାଗରେ ଗୋଟିଏ ଏବଂ ଏକକ ବିଭାଗରେ ୨ଜଣ ଲେଖାଏ କଳାକାରଙ୍କୁ ପଠାଇବାକୁ ସରପଞ୍ଚମାନଙ୍କୁ ବିଡିଓ ଚିଠି କରିଥିଲେ। ଏହାଛଡା ଦଳଗତ ବିଭାଗରେ ଭାଗ ନେଉଥିବା ସମସ୍ତଙ୍କ କଳାକାରଙ୍କୁ ପ୍ରମାଣପତ୍ର ନ ଦେଇ କେବଳ ଗୋଟିଏ ଦିଆଯିବ ବୋଲି ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଡିଓ କହିଥିଲେ। କଳାକାରଙ୍କୁ ସରପଞ୍ଚମାନେ ସୂଚନା ଦେଇ ନ ଥିବା ଏବଂ ବ୍ଲକ ପ୍ରଶାସନର କଟକଣା ନୀତି ଯୋଗୁ ଅପଦସ୍ଥ ହେବା ଆଶଙ୍କା କରି କଳାକାରମାନେ ଉତ୍ସବରେ ଅଂଶଗ୍ରହଣ କରି ନ ଥିଲେ। ସଂଘ ପକ୍ଷରୁ କାହାରିକୁ ମନା କରାଯାଇନାହିଁ। ବ୍ଲକରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକବେଳେ ଏହା ଏକ ଅବାନ୍ତର କଥା ଏବଂ ଏସବୁ ପ୍ରସ୍ତାବକୁ ସଂଘ ସଭାପତି ଭାବେ ବିରୋଧ କରିଥିବା ସେ କହିଛନ୍ତି। ଏହାବାଦ ଗତବର୍ଷ ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୀତ କଳାକାରଙ୍କୁ ୧୦୦ ଟଙ୍କା ଗସ୍ତ ଖର୍ଚ୍ଚ ଦେବାକୁ ବିଡିଓ ଘୋଷଣା କରିଥିଲେ। ହେଲେ ଅଦ୍ୟାବଧୂ ଉକ୍ତ ଟଙ୍କା ଦିଆଯାଇନାହିଁ। ଚଳିତବର୍ଷ ଲୋକ ଉତ୍ସବରେ ସାମିଲ ନ ହେଲେ
କଳାକାର ଭତ୍ତା ପ୍ରଦାନ ନ କରାଯିବା ସହ ସରକାରୀ ଜନ ସଚେତନତା କାର୍ଯ୍ୟକ୍ରମ ଦିଆଯିବ ନାହିଁ ବୋଲି ଭାଲୁପାଲି ଗ୍ରାମର କଳାକାର ସାଧୁଚରଣ ବିଶି ଏବଂ ବାନିପାଲି ଗ୍ରାମର କଳାକାର ଅଳ୍ପେଶ୍ବର ପଧାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ସଂଘ ନାପସନ୍ଦ କରିଛି। ଲୋକ ଉତ୍ସବରେ ସଂକୀର୍ତ୍ତନ ପରିବେଷଣ ପାଇଁ ବାରଣ କରାଯାଇଥିଲା। ହେଲେ ଉତ୍ସବରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଯାହାକି ବ୍ଲକ ପ୍ରଶାସନର ଦୋମୁହାଁନୀତି ପଦାରେ ପଡିଥିବା ସଂଘ ପକ୍ଷରୁ କୁହାଯାଇଛି। ଗତ ବର୍ଷଗୁଡ଼ିକରେ ଡାକବାଜି ଯନ୍ତ୍ରରେ ଉତ୍ସବ ପାଇଁ ପ୍ରଚାର ପ୍ରସାର କରାଯାଇଥିବାବେଳେ ଚଳିତବର୍ଷ ତାହା ହୋଇ ନ ଥିଲା । ଏହି ଖବରଦାତା ସମ୍ମିଳନୀରେ ୩୦ରୁ ଉର୍ଦ୍ଧ୍ୱ କଳାକାର ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଡିଓ ଅକ୍ଷୟ ପାଣି ଉର୍ଦୁଙ୍କୁ ପଚାରିବାରୁ ସେ ଉପରୋକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି କଳାକାରଙ୍କ ସହିତ କଥା ହୋଇନାହିଁ ବୋଲି କହିଥିଲେ।


