‘୭ଦିନ ଭିତରେ ସହଅଭିଯୁକ୍ତଙ୍କୁ ଗିରଫ କର’

ଲାଠୋର,୧୦ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଖର୍ଲି ଗ୍ରାମର ଜଣେ ନାବାଳିକା(୧୫)ଙ୍କ ମୃତଦେହ ସନମୁଡ଼ା ଜଙ୍ଗଲରେ ଥିବା ବାଘବିନ୍ଧା ପୋଖରୀ ହୁଡାରେ ପୋତା ଯାଇଥିବା ଅବସ୍ଥାରେ ଗତ ୩୦ ଜୁଲାଇରେ ପୋଲିସ ଉଦ୍ଧାର କରିଥିଲା। ନାବାଳିକାଙ୍କୁ ହତ୍ୟା କରି ପୋତି ଦେଇଥିବା ଘଟଣାରେ ଖର୍ଲି ଗ୍ରାମର ଜଣେ ନାବଳକଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା। ତାଙ୍କୁ ପୋଲିସ ଧରି ବାଳ ସ୍ବଧାର ଗୃହକୁ ପଠାଇଛି। ତେବେ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଡେବ୍ରିଆମୁଣ୍ଡା ଓ ଖର୍ଲି ଗ୍ରାମର ଅନ୍ୟ ୮ ଜଣଙ୍କୁ ପୋଲିସ ଗିରଫ କରୁନାହିଁ। ସେମାନଙ୍କୁ ୭ଦିନ ମଧ୍ୟରେ ଗିରଫ କରା ନଗଲେ ରାସ୍ତାକୁ ଓହ୍ଲାଇବ ବୋଲି ତୁରେକେଲା ବ୍ଳକ ଯାଦବ ସମାଜ ଚେତାବନୀ ଦେଇଛି। ଏ ନେଇ ଏକ ଦାବିପତ୍ର ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ସେମାନେ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ପୂର୍ଣ୍ଣଚନ୍ଦ୍ର ବାଗ, ପୁସ୍ତମ ନାଗ, ନାନୁ ଖର୍ସେଲ, ରସିକ ବାଗ, ଯାଦବ ସମାଜ ବ୍ଳକ ସଭାପତି ଯୁଧିଷ୍ଠିର ଜାଲ, ଲକ୍ଷ୍ଣଣ ବାଗ, ଜଳଧର ମହାକୁଡ଼, ମହୁଲପାଟି ସଭାପତି ଜୟଦେବ ଷାଣ୍ଢ, ଘୁନେଶ ସଭାପତି ବଦନ ହଂସ, ହିଆଲ ସଭାପତି ଡ଼ମବୁଢା ଗହିର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ମୃତାଙ୍କ ବାପା ସହଅଭିଯୁକ୍ତମାନଙ୍କୁ ୭ଦିନ ମଧ୍ୟରେ ଗିରଫ ନ କଲେ ତୁରେକେଲା ଥାନା ସମ୍ମୁଖରେ ଆମତ୍ହୁତି ଦେବେ ବୋଲି କହିଛନ୍ତି। ଏନେଇ ଥାନା ଅଧିକାରୀ ଶାନ୍ତିଙ୍କୁ ପଚାରିବାରେ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି।