ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର ଟିକେ ଲେଖାପଢ଼ା ଗୁଣ ରହିଛି। ବୁଲି ବୁଲି ଥକି ପଡ଼ିଲେ କେଉଁ ଗଛ ମୂଳେ ବସି ପଡ଼େ। ଯାହାକିଛି ଖାଇବା ଜିନିଷ ପାଖରେ ରଖିଥାଏ କିଛି ଖାଇ ନିଏ। ପାଣି ମୁନ୍ଦେ ପିଇ ନେଇ ହାଲିଆପଣ ମେଣ୍ଟାଏ। ଏ ଭିତରେ ଟିକେ ଲେଖାଲେଖି କରେ। ଖବରକାଗଜ ପଢ଼େ। ଦଶଦେଶର ବିଭିନ୍ନ ଖବର ଜାଣେ। ଥରେ ଖବରକାଗଜ ପଢ଼ି ଜାଣିଲା କେଉଁଠି ଗୋଟେ ସାହିତ୍ୟ ସଭା ହେଉଛି। ସେଠି ସଭା ହେବ, କବିତା ପଢ଼ାଯିବ, କବିମାନଙ୍କୁ ପଢ଼ିଥିବା କବିତା ପାଇଁ ସମ୍ମାନିତ କରାଯିବ। ବୁଲାବିକାଳି ବିଚାରିଲା ସେ ବି ସେଠି ପହଞ୍ଚିବ। ନୂଆ ଅନୁଭବ ସାଉଁଟିବ ନୂଆ ପରିବେଶରୁ।
ବୁଲାବିକାଳି ଖବରକାଗଜ ସୂଚନା ମତେ ପହଞ୍ଚତ୍ଗଲା ନିର୍ଦ୍ଦିଷ୍ଟ ସ୍ଥାନରେ। ମଞ୍ଚ ସଜା ଚାଲିଥାଏ। ଗହଳି ଏତେ ନ ଥିଲା। ଜଣେ ଜଣେ ଆସୁଥିଲେ। ଶେଷକୁ ଜଣେ ଘୋଷଣା କଲେ ସଭା ଆରମ୍ଭ ହେବ। ତା’ପରେ ହେବ କବିତା ପାଠ। ଯେଉଁମାନେ କବିତା ପଢ଼ିବେ ଦୟାକରି ତାଙ୍କ କବିତାଗୁଡ଼ିକୁ ମଞ୍ଚ ନିକଟରେ ଦେଇ ଯାଆନ୍ତୁ। ସମସ୍ତେ କବିତା ପଢ଼ି ସାରିଲା ପରେ ଶେଷକୁ ପ୍ରଶଂସା ପତ୍ର ସମସ୍ତଙ୍କୁ ପ୍ରଦାନ କରାଯିବ। କେହି ଅଧାରୁ ଉଠିଯିବେ ନାହିଁ। ଭୋଜନ ବ୍ୟବସ୍ଥା ବି ରହିଛି। ବୁଲାବିକାଳି ତା’ କବିତାଟିକୁ ଦାଖଲ କରି ଦେଇ ଚଉକି ଦଖଲ କରି ବସି ରହିଲା। ସଭା ଆରମ୍ଭ ହେଲା। ତା’ ନାଁ ଡକାହେଲା। ସେ ଯାଇ ନିଜ କବିତା ପଢ଼ି ସମସ୍ତଙ୍କୁ ଶୁଣାଇଲେ। ତାଳି ବି ପଡ଼ିଲା ସେ କବିତା ପଢ଼ି ସାରିଲା ପରେ। ବୁଲାବିକାଳିଠି କବିର ମୋହର ବାଜିଲା। ପୁରସ୍କାର ବି ମିଳିଲା। ପୁରସ୍କାର ନେଇ କି ଆସିଲା ବେଳେ କିଏ ଜଣେ ମଞ୍ଚ ଗୋଟେ କୋଣକୁ ଡାକି ନେଲେ। ଗୋଟେ ଖାତାରେ ଦସ୍ତଖତ କରି ସାରିଲା ପରେ ତାଙ୍କୁ କହିଲେ ଦୁଇ ଶହ ଟଙ୍କା ଦିଅନ୍ତୁ। ସେଇ ବୁଲାବିକାଳି କବି ବି ଦୁଇ ଶହ ଟଙ୍କା ଦେଇ ନିଜ ସିଟ୍‌କୁ ଫେରିଲେ। ତାଙ୍କ ଭଳି ଅନ୍ୟମାନଙ୍କୁ ମଞ୍ଚ କଡ଼କୁ ଡକାଯାଉଥିଲା। ପୁରସ୍କାର ପାଇଥିବା କବିମାନେ ଦୁଇ ଶହ ଟଙ୍କା ଦେଉଥିବାର ଦୃଶ୍ୟ ଉପସ୍ଥିତ ସଭିଏ ଦେଖୁଥିଲେ। ଲୁଚାଛପାରେ ଦୁଇ ଶହ ନିଆଯାଉ ନ ଥିଲା। ଖୋଲାଖୋଲି ଦିଆନିଆ ହେଉଥିଲା ମଞ୍ଚ ଉପରେ। ସେଥିପାଇଁ ଦୁଇ ଜଣ ନିହାତି ରହିଥିଲେ। ବୁଲାବିକାଳି କବି ଦେଖିଲେ ଚା ଜଳଖିଆ ଭାତ ଦେଇଛନ୍ତି। ଦୁଇ ଶହ ନେଉଛନ୍ତି।
ଯାହା ହେଉ କବି ପରିଚୟ ପାଇ ସେଇଠୁ ଫେରି ଆସି ନିଜ ବେପାର ଧରି ବୁଲିଲେ ଆଗ ଭଳି।
ହଠାତ୍‌ ଦିନେ ସେଇ ବୁଲାବିକାଳି କବି ପାଖକୁ ଫୋନ କଲ୍‌ଟେ ଆସିଲା ଆଜ୍ଞା ନମସ୍କାର, ଆପଣ ଅମୁକେଇ କହୁଛନ୍ତି ତ, ପ୍ରତି ନମସ୍କାର ଜଣେଇ ବୁଲାବିକାଳି କହିଲେ ହଁ ଆଜ୍ଞା ମୁଁ ସେଇ କହୁଛି। କୁହନ୍ତୁ ଆଜ୍ଞା କ’ଣ କହୁଥିଲେ। ସେପଟୁ ଶୁଭିଲା ଆଜ୍ଞା ଆପଣ ଅମୁକ ତାରିଖରେ ସମୁକ ସ୍ଥାନରେ ପହଞ୍ଚିବେ, କବିତା ପାଠ ଅଛି, ଆପଣ ଆପଣଙ୍କ କବିତା ନେଇ ଆସିବେ। ବୁଲାବିକାଳି ପଚାରିଲେ ମୋ ଫୋନ ନମ୍ବର ଆଜ୍ଞା କେମିତି ପାଇଲେ। ସେଇ ଗତ କାର୍ଯ୍ୟକ୍ରମର କର୍ମକର୍ତ୍ତାଙ୍କ ପାଖରୁ କବି ତାଲିକାଟା ଆଣିଥିଲୁ, ସେଠୁ ଆପଣଙ୍କ ନମ୍ବରଟା ମିଳିଲା। ହଁ ଆଜ୍ଞା ନିଶ୍ଚିତ ପହଞ୍ଚିବି କହି ଫୋନ ରଖିଲେ। ମନେ ମନେ ବୁଲାବିକାଳି କବି ଖୁବ୍‌ ଖୁସି ହୋଇ ସେଇ ତାରିଖ ଅପେକ୍ଷାରେ ରହିଲା। ଆସିଗଲା ମଧ୍ୟ ସେଇ ନୂଆ କାର୍ଯ୍ୟକ୍ରମ ତାରିଖ। ସେଠି ସେ ଠିକ୍‌ ସମୟରେ ପହଞ୍ଚିଲେ । କାର୍ଯ୍ୟକ୍ରମ ହେଲା। ସେ କବିତା ପଢ଼ିଲେ। ଶେଷକୁ ପୁରସ୍କାର ମିଳିଲା। ସେଠି ବି ଦେବାକୁ ପଡ଼ିଲା ଦୁଇ ଶହ ଟଙ୍କା। ବୁଲା ବିକାଳି କବିଙ୍କ ଗୋଟେ ଧାରଣା ହେଲା ତେବେ ପୁରସ୍କାର ପାଇଁ କିଛି କିଛି ନିଅନ୍ତି। ମାନେ ପୁରସ୍କାର ବେପାର ହେଉଛି। ଏମିତି ଅନେକ ସ୍ଥାନକୁ ଯାଇ ସେ ପ୍ରକାର ଅନୁଭବ ବି ହେଲା ବୁଲାବିକାଳି କବିଙ୍କର। ଯେଉଁଠି କି ତା’ପରେ ସେ ଗଲେ ସମାନ ସ୍ଥିତି ଦେଖିଲେ। ତା’ପରେ ସେ ନିଜେ ବିଚାରିଲେ ଏଣିକି ସେ ପୁରସ୍କାର ପସରା ଧରିବେ। ଆଉ ବୁଲିକି ନୁହେଁ, ବସିକି ବିକିବେ। ସତସତିକା ବେପାର ଅନୁଭବ ଅନୁଭୂତି ତ ତାଙ୍କର ଢେର ରହିଛି।
ତା’ପରେ ସେ କ’ଣ କଲେ ନା ସହରରେ ଗୋଟେ ଦୋକାନ ଖୋଲିଲେ। ଦୋକାନର ନାଁ ରଖିଲେ ‘ପୁରସ୍କାର ପସରା’। ବିଭିନ୍ନ ପୁରସ୍କାର ପାଇଁ ବିଭିନ୍ନ ଦର ବି ରଖିଲେ। ମୁଦ୍ରିତ ସାର୍ଟିଫିକେଟର ମାନ ଓ ପୁରସ୍କାର ଉପାଧିର ନାଁ (ଯେମିତି କବିଶ୍ରୀ, କବିଶ୍ରେଷ୍ଠ, କବି ମଣି, କବି ଚୂଳ, କବିତାରା, କବି ଷଣ୍ଢ ଇତ୍ୟାଦି) ଅନୁସାରେ ପୁରସ୍କାରର ଦର ବି ଦୋକାନରେ ଉଲ୍ଲେଖ ରହିଲା। ଧୀରେ ଧୀରେ ବେପାର ବଢ଼ିଲା। କେଉଁଠି କି କବିତା ପଢ଼ିଯିବାର ଦରକାର ନାହିଁ। ସେଠୁ କିଣି ଆଣି ନିଜ ଘରେ ଟାଙ୍ଗି ରଖିଲେ ହେଲା। କିଏ ପଚାରୁଛି କେବେ ମିଳିଲା କାହାଠୁ ଆଣିଲ। ଜଣେ ଜଣେ ହୋଇ ଏମିତି ନିତି କେତେ କବି ହୋଇ ଚାଲିଲେ ‘ପୁରସ୍କାର ପସରା’ ସୌଜନ୍ୟରୁ। ଆଜିର ଦିନରେ କାହା ପାଖେ ଏତେ ବଳକା ସମୟ ଅଛି ଯେ ସାହିତ୍ୟ ସଭାକୁ ଯାଇ ସମୟ ଦେବ। ସେଠି ଦିନତମାମ ବସିବ। କିଣା ପରିଚୟ ଯେତେବେଳେ ବଜାରରେ ଉପଲବ୍ଧ ଆଉ କେଉଁଠିକି ନ ଯାଇ କେବଳ ଦୋକାନକୁ ଯାଇ ନିଜ ଇଚ୍ଛା ଅନୁସାରେ ଗୋଟେ ଦୁଇଟା ସୁବିଧା ଦେଖି ତଥା ପକେଟ ପରମିଟ କରୁଥିବା ସ୍ଥିତି ପରଖି ମଝିରେ ମଝିରେ ପୁରସ୍କାର କିଣି ଆଣିଲେ ଗଲା। ଆଜିକାଲିର ଅନେକ ସାହିତ୍ୟ ସଭାରେ ତ କିଣା ପୁରସ୍କାର ମିଳୁଛି। ସାହିତ୍ୟ ସଭାକୁ ନ ଯାଇ ପୁରସ୍କାର କିଣି ଆଣିବା ଆହୁରି ସୁବିଧାଜନକ। ନିଜ ଇଚ୍ଛାଧୀନ ମଧ୍ୟ। ଅବଶ୍ୟ ଏମିତି କିଛି ସଂସ୍ଥା ଆଜି ବି କାମ କରୁଛନ୍ତି ଯେଉଁମାନେ ଅତି ସ୍ବଚ୍ଛତା ଅବଲମ୍ବନ କରନ୍ତି ତାଙ୍କର ପୁରସ୍କାର ଚୟନରେ ଓ ପ୍ରଦାନରେ। କେତେ ଯେ ଅନୀତି ଉପାୟ ଧରନ୍ତି।

ଧ୍ରୁବ ଚରଣ ଘିବେଲା
ବଉଦରାଜ, ଜି. ବୌଦ୍ଧ
ମୋ: ୯୪୩୭୪୭୮୪୬୬

Dharitri – Odisha’s No.1 Odia Daily

Share