ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏପରିକି ବିକ୍ରୀରେ ମୂଳ ମଧ୍ଯ ମିଳୁ ନଥିବା ଯୋଗୁଁ ଚାଷୀମାନେ ଅଧାରୁ ଅମଳକୁ ଛାଡି ଦେଉଛନ୍ତି। ବର୍ତ୍ତମାନ ଟମାଟୋର ବିକ୍ରୀରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି ।
ଜିଲାର ଗାଇସିଲେଟ ବ୍ଲକର ଗନିଆଁପାଳି, ମଲମୁଣ୍ଡା, ଚାଟିପାଲି, କେରମେଲୀ, ଜଡାଗଞ୍ଜା, ଯୁଗୀବନ୍ଧଳୀ, ତଳପାଲି, ଜାନକେଡ଼ା, ବୁରୋମୁଣ୍ଡା, ଗୌରନମୁଣ୍ଡା, ଅମ୍ବାଭୋନା ବ୍ଲକର ବରା, ବଡଧରା, ରୁଚିଦା, ନାରଙ୍ଗପୁର ଅଞ୍ଚଳରେ ଟମାଟୋ ବିକ୍ରୀରେ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବଡଧରା ଗ୍ରାମର ରମେଶ ବେହେରା, ସୂର୍ଯ୍ୟକାନ୍ତ ବେହେରା ଚାଷ ଜମିରେ ଅମଳ ଛାଡି ଦେଇଛନ୍ତି ।
ସେହିପରି ଘେଁସ, ତିଳେଇମାଲର ରବି ଗରିଆ ଜମି ଭାଗ ନେଇ ଚାଷ କରିଥିବା ୩୦ ଡେସିମିଲରେ କରିଥିବା ଟମାଟୋ ଅମଳକୁ ଅଧାରୁ ଛାଡି ଦେଇଛନ୍ତି । ବେପାରୀମାନେ ଟମାଟୋ କି.ଗ୍ରା ପ୍ରତି ୨ଟଙ୍କାରୁ ୩ଟଙ୍କା ଦରରେ ମାଗୁଥିବା ଯୋଗୁଁ ସେଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ତେବେ ପରିବା ସଂରକ୍ଷଣ ପାଇଁ ଜିଲାରେ ଶୀତଳ ଭଣ୍ଡାରର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ଏଭଳି ସମସ୍ୟାର ସମ୍ମୁଖିନ ହୋଇ ଆସୁଛନ୍ତି । ଏହି ଦୃଷ୍ଟିରୁ ଜିଲାର ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଦାବି କରିଛନ୍ତି ।

