ଅଫିସ୍‌ରେ ଅଧିକ ସମୟ ବସି କାମ କରୁଛନ୍ତି କି : ତେବେ ନିଶ୍ଚିତ ଜାଣନ୍ତୁ…

ଅଫିସ୍‌ରେ ଅଧିକ ସମୟ ବସି ରହି କାମ କଲେ ବେଳେବେଳେ ଅଣ୍ଟା ଦରଜ ହୁଏ। କମ୍ପ୍ୟୁଟର୍‌ ସ୍କ୍ରିନ୍‌ରେ କାମ କରି କରି କାହାର ଆଖିରୁ ପାଣି ବାହାରେ ତ କାହାର ମୁଣ୍ଡ ବିନ୍ଧେ। ତେଣୁ କୁହାଯାଏ, ବେଶୀ ସମୟ ଗୋଟେ ଜାଗାରେ ନ ବସି ମଝିରେ ମଝିରେ ଟିକେ ଚଲାବୁଲା କରିବା ଦରକାର। ଆଖିକୁ ବି ପରିଷ୍କାର ପାଣିରେ ସମୟାନୁସାରେ ଟିକେ ଧୋଇ ଦେବା ଭଲ। ଏହାଛଡ଼ା ଆହୁରି ବି କିଛି ହାଲ୍‌କା ଫୁଲ୍‌କା ଉପଯୋଗୀ ବ୍ୟାୟାମ୍‌ ରହିଛି; ଯାହାକୁ ଅଫିସ୍‌ରେ କାମ କରୁଥିବା ସମୟରେ ଜଣେ ଆରାମରେ କରି ନିଜକୁ ଫିଟ୍‌ ରଖିପାରିବେ।

ଯେମିତିକି:  ପ୍ରତି ଘଣ୍ଟାକୁ ଥରେ ସିଟ୍‌ରୁ ଉଠି ଆଠ/ଦଶ ପାଦ ଚାଲିବେ, ମିଟିଂରେ ଥିଲେ ଓ୍ବାସରୁମ୍‌ ବାହାନରେ ଟିକେ ବ୍ରେକ୍‌ ନେବେ।

ଲାପ୍‌ଟପ୍‌, ଡେସ୍କଟପ୍‌ରେ ଲଗାତାର କାମ କରୁଥିଲେ ଆଖିପତାକୁ ବାରମ୍ବାର ପକାଇବେ, ବେଳେବେଳେ ଆଖିରେ ପାଣି ଛାଟିବେ।

ଫୋନ୍‌ରେ କଥା ହେବାର ଥିଲେ, ସିଟ୍‌ରେ ନବସି ଚାଲି ଚାଲି କଥା ହେବେ, ଯାହା ରକ୍ତ ସଞ୍ଚାଳନ ବଜାୟ ରଖିବ।

ସିଟ୍‌ରେ ସିଧା ଭାବେ ବସି ଦୁଇ ଗୋଡ଼କୁ ଏକାସାଙ୍ଗେ ଟିକେ ତଳଉପର କରିପାରିବେ।

ଘଣ୍ଟାକୁ ଥରେ ଅଧ ମିନିଟ୍‌ ପାଇଁ ହେଉନା କାହିଁକି ବେକକୁ ଚେୟାର୍‌ ପଛପଟକୁ ସାମାନ୍ୟ ଓହଳେଇ ରଖିବେ। ଏହା ସ୍ପଣ୍ଡିଲାଇଟିସ୍‌ରୁ ରକ୍ଷା କରିବାରେ ସାହାଯ୍ୟ କରେ।

ପାଟିରେ ପବନ ରଖି ତାହାକୁ ବାରମ୍ବାର ଫୁଲାଇବେ। ବେଳେବେଳେ ଚୁଇଗମ୍‌ ବି ଖାଇପାରିବେ। ଏହା ଗାଲର ଚର୍ବିକୁ କମାଇବା ସହ ଡବଲ୍‌ ଚିନ୍‌କୁ କମାଇଥାଏ।

ସହକର୍ମୀଙ୍କ ସହ ମଜା କରି ଖୁବ୍‌ ହସିବେ, ଅନ୍ୟଙ୍କୁ ବି ହସାଇବେ। ତାଳି ବଜାଇବାର ମଉକା ଥିଲେ ଆଦୌ କଞ୍ଜୁସ୍‌ କରିବେ ନାହିଁ। କାରଣ ଏସବୁ ବି ଗୋଟେ ଗୋଟେ ଉତ୍ତମ ବ୍ୟାୟାମ। ଯାହା ରକ୍ତ ସଞ୍ଚାଳନ ଠିକ୍‌ କରିବା ସହ ମାଇଣ୍ଡ ଫ୍ରେଶ୍‌ କରେ।

Dharitri – Odisha’s No.1 Odia Daily