Categories: ଭଦ୍ରକ

ଘରକୁ ଫେରିଲେ ଅର୍ଚ୍ଚନା

ଭଦ୍ରକ ଅଫିସ,୧୦ା୩: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ତାଙ୍କ ସହ ଓଡ଼ିଶାରୁ ଶତାଧିକ ଛାତ୍ରୀଛାତ୍ର ଫସି ରହିଥିଲେ। ୭ଦିନ ଧରି ବଙ୍କର ଭିତରେ ବହୁ କଷ୍ଟରେ ରହିଥିଲେ। ଏପରିକି ଦୁଇଦିନ ନ ଖାଇ ନ ପିଇ ଉପାସରେ ରହିବାକୁ ପଡ଼ିଥିଲା। ସେଠାରେ କିଭଳି ଏୟାର ଷ୍ଟ୍ରାଇକ ହେଉଥିଲା ଓ ଲୋମଟାଙ୍କୁରା ଅନୁଭୂତି ପରିବାର ଲୋକଙ୍କ ଆଗରେ ବଖାଣିଛନ୍ତି ମଙ୍ଗଳବାର ରାତିରେ ୟୁକ୍ରେନ୍‌ରୁ ଘରକୁ ଫେରିଥିବା ଭଦ୍ରକ ବନ୍ତ ଛକ ଅଞ୍ଚଳର ଅର୍ଚ୍ଚନା କର। ବନ୍ତ ଛକ ନିକଟରେ ରହୁଥିବା ଉମାକାନ୍ତ କରଙ୍କ ଝିଅ ଅର୍ଚ୍ଚନା ସେଠାରେ ମେଡିକାଲ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ ଗତ ଡିସେମ୍ବର ୫ରେ ୟୁକ୍ରେନ୍‌ ଯାଇଥିଲେ। ଶେଷରେ ଭାରତ ସରକାରଙ୍କ ମିଶନ ଗଙ୍ଗା ଜରିଆରେ ଦେଶକୁ ଫେରିବାର ସୁଯୋଗ ପାଇଥିଲେ। ୭ ଦିନର ଯାତ୍ରା ପରେ ମଙ୍ଗଳବାର ରାତିରେ ଘରେ ପହଞ୍ଚିଛନ୍ତି। ଅର୍ଚ୍ଚନାଙ୍କୁ ଦେଖି ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ତାଙ୍କ ମା’ ଉର୍ମିଳା କର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।