କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ସଂସ୍ଥାର ତତ୍କାଳୀନ ସଭାପତି ଓ ସମ୍ପାଦକଙ୍କୁ ଗିରଫ କରିଥିଲେ। ପରେ ତଦନ୍ତ ବେଳେ ଏହି ସଂସ୍ଥାରୁ ବହୁ ଅର୍ଥ ଦେଣ ନେଣ କରିଥିବା ଅଭିଯୋଗରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରାଯାଇଥିଲା।
ଏହି ଘଟଣାର ବିଚାର ବାଲେଶ୍ୱର ସ୍ବତନ୍ତ୍ର କୋର୍ଟରେ ଚାଲିଥିବାବେଳେ ପୂର୍ବରୁ ରାଜାଙ୍କୁ ରିମାଣ୍ଡରେ ନେଇ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଥିଲା। ଅନ୍ୟପକ୍ଷରେ ଉକ୍ତ ଘଟଣାରେ ଗିରଫ ହୋଇଥିବା ରାଜାଙ୍କ ଜାମିନ ଶୁଣାଣି ଅଗ୍ରାହ୍ୟ ହୋଇଥିବାବେଳେ ଏବେ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ ହୋଇଥିବା ସୂଚନା ମିଳିଛି। ତେବେ ଏଜେନ୍ସିରେ ହୋଇଥିବା ଥିବା ଘୋଟାଲାକୁ ନେଇ ହୋଇଥିବା ସ୍ବତନ୍ତ୍ର ଅଡିଟ୍କୁ ତଦନ୍ତକାରୀ ସଂସ୍ଥା ପ୍ରାଧାନ୍ୟ ଦେଇ ରିପୋର୍ଟରେ ଦର୍ଶାଯାଇଥିବା ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରୁନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ମତବ୍ୟକ୍ତ କରୁଛନ୍ତି। କାରଣରେ ଉକ୍ତ ରିପୋର୍ଟରେ ଦର୍ଶାଯାଇଥିବା ଅଭିଯୁକ୍ତମାନେ ଏବେ ଶାସକ ଦଳରେ ସାମିଲ ହୋଇଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ସେହିପରି ପୂର୍ବରୁ ତଦନ୍ତ ହେଲେ ବହୁ ବଡ଼ବଡ଼ ନେତାଙ୍କ ମୁଖା ଖୋଲିଯାଇଥାନ୍ତା। ଏଣୁ ସେ ସମୟର ଅଡିଟ୍ ରିପୋର୍ଟକୁ ପାଳନ କରାଯାଇ ମାମଲା ରୁଜୁ କରାଯାଇଥିଲେ ବା ଏହା ବନ୍ଦ କରାଯାଇଥିଲେ ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି।


