ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବେ ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ ପାଇଁ ୨୪ ତାରିଖ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମୋଟ ୧୨ଟି ବିଭାଗ ଲାଗି ଏହି ଆବେଦନ ପ୍ରକ୍ରିୟା ଜାନୁଆରୀ ୧୦ ଯାଏ ଚାଲିବ। ପୁରସ୍କାର ପାଇଁ ସ୍ବତନ୍ତ୍ର ୱେବ୍ସାଇଟ୍ www.msp.odisha.gov.inରେ ଆବେଦନ କରିପାରିବେ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରୀଛାତ୍ର କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି) ପୁରସ୍କାର, ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ଆଦି ରହିଛି। ବିଦ୍ୟାଳୟ ଓ ଶିକ୍ଷକ ପୁରସ୍କାର ପାଇଁ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ଆବେଦନ କରିବେ। ଅନ୍ୟପକ୍ଷରେ ପୁରାତନ ଛାତ୍ରୀଛାତ୍ର କମିଟି ପୁରସ୍କାର ପାଇଁ ପ୍ରଧାନଶିକ୍ଷକ ଆବେଦନ କରିବେ। ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଆବେଦନ କରିପାରିବେ। ସେହପିରି ଡିଇଓ, ବିଇଓ, ସିଆର୍ସିସି ପୁରସ୍କାର ପାଇଁ ସମ୍ପୃକ୍ତ ଅଧିକାରୀ ଆବେଦନ କରିବେ। ଜିଲା ପୁରସ୍କାର ପାଇଁ ଜିଲାପାଳ, ବ୍ଲକ ପୁରସ୍କାର ପାଇଁ ବିଡିଓ ଏବଂ ଡିଆଇଇଟି ପୁରସ୍କାର ପାଇଁ ସମ୍ପୃକ୍ତ ଡିଆଇଇଟିର ଅଧ୍ୟକ୍ଷ ନିର୍ଦ୍ଧାରିତ ୱେବ୍ସାଇଟରେ ଆବେଦନ କରିବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବ୍ସାଇଟରେ ସମସ୍ତ ସୂଚନା ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି।


