୭ ଦିନ ରିମାଣ୍ଡ ପାଇଁ ଆବେଦନ

ଝାରସୁଗୁଡ଼ା ଅଫିସ,୧।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ ପୋଲିସ ଗିରଫ କରି ସୋମବାର ରାତିରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ସେଠାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏବେ ସେ ଜିଲା ସବ୍‌ଜେଲ୍‌ରେ ଅଛନ୍ତି। ତେବେ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ମଙ୍ଗଳବାର କୋର୍ଟରେ ଆବେଦନ କରିଥିଲା। ଉକ୍ତ ଆବେଦନର ଶୁଣାଣି ଜେଏମ୍‌ଏଫ୍‌ସି କୋର୍ଟରେ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଛି ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ହରିଶଙ୍କର ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। କୋର୍ଟଙ୍କ ରାୟକୁ କ୍ରାଇମବ୍ରାଞ୍ଚ ଅପେକ୍ଷା କରିଛି। ପ୍ରକାଶଯେ, ମନ୍ତ୍ରୀ ଦାସଙ୍କ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲେ ହେଁ ହତ୍ୟା ପଛର କାରଣ ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ। ତେଣୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି।