ଆଉ ଇଚ୍ଛା ଅନୁସାରେ କିଣିପାରିବେନି iPhone! ଆସିଲା ନୂଆ ନିୟମ, ଜଣେ ଗ୍ରାହକ କିଣିପାରିବେ ମାତ୍ର….

ନୂଆଦିଲ୍ଲୀ,୨୧ା୧୦: ଆଇଫୋନ୍‌ କିଣୁଥିବା ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣିଛି ଆପଲ୍‌ । ଏଣିକି ଭାରତରେ କମ୍ପାନୀର ଅନଲାଇନ୍‌ ଷ୍ଟୋର୍‌ରୁ ଜଣେ ଗ୍ରାହକ ସର୍ବାଧିକ ୨ଟି ଆଇଫୋନ୍‌ କିଣିପାରିବେ । ଏହି ନିୟମ କେବଳ ନୂଆ ମଡେଲ୍‌ ପାଇଁ ନୁହେଁ, ବରଂ ଆପଲ୍‌ର ସମସ୍ତ ଆଇଫୋନ୍‌ ମଡେଲ୍‌ ଉପରେ ଲାଗୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଗ୍ରାହକ ଚାହିଁଲେ ଗୋଟିଏ ମଡେଲ୍‌ର ୨ଟି ଫୋନ୍‌ କିଣିପାରିବେ କିମ୍ବା ଦୁଇଟି ଭିନ୍ନ ମଡେଲ୍‌ ବାଛିପାରିବେ । କିନ୍ତୁ ଗୋଟିଏ ଅର୍ଡର୍‌ରେ ତୃତୀୟ ଆଇଫୋନ୍‌ ଯୋଡ଼ିବାକୁ ଚେଷ୍ଟା କଲେ ୱେବସାଇଟ୍‌ରେ ଚେତାବନୀ ଦେଖାଯିବ।
ଏହି ନୂଆ ନିୟମ ଲାଗୁ କରିବାର କାରଣ ସମ୍ପର୍କରେ ଆପଲ୍‌ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ । ତେବେ ଅଧିକ ସଂଖ୍ୟାରେ ଫୋନ୍‌ କିଣି ପରେ ଅଧିକ ଦାମରେ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ରୋକିବା ଏବଂ ସାଧାରଣ ଗ୍ରାହକଙ୍କ ପାଇଁ ଫୋନ୍‌ର ଉପଲବ୍ଧତା ବଜାୟ ରଖିବା ଏହାର ଉଦ୍ଦେଶ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାର ଅର୍ଥ ହେଉଛି, ପରିବାର ସଦସ୍ୟଙ୍କ ପାଇଁ କିମ୍ବା ଉପହାର ଦେବାକୁ ଜଣେ ଗ୍ରାହକ ଯଦି ୩ଟି କିମ୍ବା ତା’ଠାରୁ ଅଧିକ ଆଇଫୋନ୍‌ କିଣିବାକୁ ଚାହାନ୍ତି, ତେବେ ଆପଲ୍‌ର ଅନଲାଇନ୍‌ ଷ୍ଟୋର୍‌ରୁ ଗୋଟିଏ ଅର୍ଡର୍‌ରେ ତାହା କରିପାରିବେ ନାହିଁ ।

ଆପଲ୍‌ ପାଇଁ ଏହା ପ୍ରଥମ ଘଟଣା ନୁହେଁ । ୨୦୦୭ରେ ପ୍ରଥମ ଆଇଫୋନ୍‌ ଲଞ୍ଚ୍‌ ସମୟରେ ମଧ୍ୟ ଜଣେ ଗ୍ରାହକଙ୍କ ପାଇଁ ସର୍ବାଧିକ ୨ଟି ଫୋନ୍‌ କିଣିବାର ସୀମା ରଖାଯାଇଥିଲା। ଅଧିକ ସଂଖ୍ୟାରେ ଫୋନ୍‌ କିଣି କଳାବଜାରରେ ବିକ୍ରି କରିବାକୁ ରୋକିବା ଏହାର ଉଦ୍ଦେଶ୍ୟ ଥିଲା। ନୂଆ ଫୋଲ୍ଡେବଲ୍‌ ଆଇଫୋନ୍‌ ଆଇଫୋନ୍‌ ଡୁଓର ଚାହିଦା ବଢ଼ୁଥିବା ଖବର ମଧ୍ୟରେ ଆପଲ୍‌ ଏହି ପଦକ୍ଷେପ ନେଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅକ୍ଟୋବର ୧୬ରୁ ଏହି ଫୋନ୍‌ର ପ୍ରି-ବୁକିଂ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁସାରେ, ବୁକିଂ ଆରମ୍ଭ ହେବାର କିଛି ସମୟ ପରେ କେତେକ ଗ୍ରାହକଙ୍କ ପାଇଁ ଡେଲିଭରି ସମୟ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚିଯାଇଥିଲା। ତେବେ ଆପଲ୍‌ର ଏହି ନୂଆ କଟକଣା ଗ୍ରାହକଙ୍କ ପାଇଁ କେତେ ସୁବିଧାଜନକ ହେବ ଏବଂ ଫୋନ୍‌ର ଉପଲବ୍ଧତା ଉପରେ ଏହାର କି ପ୍ରଭାବ ପଡ଼ିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

Share