ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଖୋଲିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଗତ ୧ ବର୍ଷ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଖୋଲିଲା। ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ ଅଧ୍ୟାଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି।
ଆପାର୍ଟମେଣ୍ଟ ପଞ୍ଜୀକରଣ ବେଳେ ରିୟଲ ଇଷ୍ଟେଟ୍‌ ଅଥରିଟି ଆକ୍ଟ(ରେରା)-୨୦୧୬କୁ ଉଲ୍ଲଂଘନ କରାଯାଉଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଫଳରେ ଗତ ବର୍ଷେ ହେବ ଆପାର୍ଟମେଣ୍ଟ ପଞ୍ଜୀକରଣ ହୋଇପାରୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨’କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ବିଧାନସଭା ବଜେଟ ଅଧିବେଶନରେ ଅନୁମୋଦନ ପାଇଁ ଆସିଥିବା ଉକ୍ତ ଅଧିନିୟମ ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨(୧୯୮୪ର ଓଡ଼ିଶା ଧାରା ୧)କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ବିଧାନସଭାର କୌଣସି ଅଧିବେଶନ ନ ଥିବାରୁ ଏହି ନୂଆ ଅଧିନିୟମକୁ ଅଧ୍ୟାଦେଶ ଜରିଆରେ ପ୍ରଣୟନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ରିୟଲ ଇଷ୍ଟେଟ୍‌ (ନିୟମାବଳୀ ଓ ବିକାଶ) ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିବାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ବିକ୍ରୟ କବଲା ପଞ୍ଜୀକୃତ ହେଉ ନ ଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଆପାର୍ଟମେଣ୍ଟକୁ ପ୍ରୋତ୍ସାହନ, ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ଉତ୍ତରାଧିକାରୀ ଓ ହସ୍ତାନ୍ତର ଅଧିକାରକୁ ସୁନିଶ୍ଚିତ କରିବାକୁ ଅଧିନିୟମରେ ବ୍ୟବସ୍ଥା ରହିଛି। ଏଥିରେ ଆପାର୍ଟମେଣ୍ଟ ମାଲିକମାନଙ୍କର କମନ ଏରିଆ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ବ୍ୟବସ୍ଥା ରହିଛି।