ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା। ଏହାର କିଛି ସମୟ ପରେ ଯେଉଁଠି ସଚେତନତା ସଭା ହେଉଥିଲା ତା’ଠାରୁ ମାତ୍ର ୨ କିମି ଦୂରରେ ଥିବା ସୋରଦେବି ଜଙ୍ଗଲରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସା ହେବାପରେ ଜଙ୍ଗଲ ନିଆଁ ଚାରିଆଡ଼େ ଦେଖାଯିବା ପରେ କଥା ଯାଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ବନପାଳ ବବୁଲ ସେଠୀ ତୁରନ୍ତ ନିଆଁକୁ ଆୟତ୍ତ ପାଇଁ ପଦକ୍ଷେପ ନେଇଥିଲେ। ନିଆଁ ଲିଭାଇବା ଦାୟିତ୍ୱରେ ଥିବା କର୍ମଚାରୀମାନେ ରାତିରେ ପାହାଡ ଉପରେ ଚଢ଼ି ନିଆଁକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛନ୍ତି। ରାତି ସୁଦ୍ଧା ନିଆଁ ନିୟନ୍ତ୍ରଣ ହୋଇଯିବା ସମ୍ଭାବନା ରହିଛି। କୌଣସି ଦୁର୍ବୃତ୍ତ ଉଦ୍ଦେଶ୍ୟ ମୂଳକ ଭାବେ ନିଆଁ ଲଗାଇ ଥିବା ଆଶଙ୍କା କରାଯାଉଛି। ତେଣୁ ବନ ବିଭାଗ କର୍ମଚାରୀ ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଠାବ କରିବା ଲକ୍ଷ୍ୟରେ ଅଛି।

