ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ ଦୀର୍ଘଦିନର ପ୍ରେମିକ ରୋହନ ଠକ୍କରଙ୍କୁ ବିବାହ କରିଛନ୍ତି। ଉଭୟ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଂଶୁଲା ବିବାହରେ ଏକ ସୁନ୍ଦର ଗୋଲାପୀ ‘ଲେହେଙ୍ଗା’ ଏବଂ ରୋହନ ‘ଶେରୱାନି’ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋ ଶେୟାର କରି ଅଂଶୁଲା ରୋହନଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ ଲେଖିଛନ୍ତି। ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, ୦୬.୦୭.୨୦୨୬। ଏତେ ଲୋକଙ୍କ ମଧ୍ୟରୁ, ଅନେକ ସ୍ଥାନ ଏବଂ ସମୟର ଏତେ ମୁହୂର୍ତ୍ତ ମଧ୍ୟରୁ… କେବଳ ତୁମେ ଥିଲ। ପ୍ରତ୍ୟେକ ଉତ୍ଥାନପତନ ଏବଂ ମୋଡ଼ ମଧ୍ୟରେ କେବଳ ତୁମେ ମୋର ସବୁଠାରୁ ସୁରକ୍ଷିତ ସ୍ଥାନ। ମୋର ସବୁଠାରୁ ସହଜ ପସନ୍ଦ। ସବୁବେଳେ ତୁମେ।

ବିବାହରେ ବୋନିଙ୍କ ୨ ଝିଅ ଖୁସି ଏବଂ ଜାହ୍ନବୀଙ୍କୁ ମଧ୍ୟ ଭଉଣୀର କର୍ତ୍ତବ୍ୟ ସଠିକ୍‌ ଢଙ୍ଗରେ ନିଭାଉଥିବା ଦେଖାଯାଇଥିଲା। ଅଂଶୁଲାଙ୍କ ସ୍ବାମୀ ରୋହନ ମଧ୍ୟ ଫିଲ୍ମ ଶିଳ୍ପର ଏକ ଅଂଶ। ରୋହନ ପେଶାରେ ଜଣେ ଚିତ୍ରନାଟ୍ୟ ଲେଖକ ଏବଂ କରଣ ଜୋହରଙ୍କ କମ୍ପାନୀ ଧର୍ମାଟିକ ଏଣ୍ଟରଟେନମେଣ୍ଟରେ କାମ କରନ୍ତି। ସେ ‘ଦି ନୋଭେଲିଷ୍ଟ’ (୨୦୧୬) ଏବଂ ‘ନେଭର ଟୁ ଲେଟ’ (୨୦୧୬) ଭଳି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି। ଅଂଶୁଲାଙ୍କ ସହ ତାଙ୍କ ପ୍ରେମ କାହାଣୀ ୨୦୨୨ ମସିହାରେ ଏକ ଡେଟିଂ ଆପ ମାଧ୍ୟମରୁ ଆରମ୍ଭ ହୋଇଥିଲା ଏହି ଦମ୍ପତି ୨୦୨୫ ମସିହାରେ ନିର୍ବନ୍ଧ କରିଥିଲେ।

 

Dharitri – Odisha’s No.1 Odia Daily

 

Share