Categories: ବାଣିଜ୍ୟ

ବ୍ୟାଙ୍କରେ ପୁଣି ୨୦ ହଜାର କୋଟିର ଠକେଇ

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କଗୁଡିକରେ ପୁଣି ୧୯,୯୬୪ କୋଟି ଟଙ୍କାର ଠକେଇ ଖବର ନଜରକୁ ଆସିଛି। ଗତ ୩ ମାସରେ ଏ ନେଇ ମୋଟ ୨,୮୬୭ ମାମଲା ରିପୋର୍ଟ କରାଯାଇଥିବା ଜଣାପଡିଛି। ସୂଚନା ଅଧିକାରୀ କର୍ମୀ ଚନ୍ଦ୍ରଶେଖର ଗୌର ରିଜର୍ଭ ବ୍ୟାଙ୍କକୁ ମାଗିଥିବା ଆର୍‌ଟିଆଇ ସୂଚନାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ରେ ସବୁଠୁ ବେଶି ସଂଖ୍ୟାରେ ଠକେଇ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଜୁନ ମାସ ମଧ୍ୟରେ ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ଏସ୍‌ବିଆଇରେ କେବଳ ୨,୦୫୦ଟି ଠକେଇ ମାମଲା ରିପୋର୍ଟ କରାଯାଇଛି। ଏହି ମାମଲାଗୁଡିକ ସହ ୨୩୨୫.୮୮ କୋଟି ଟଙ୍କା ଜଡିତ ରହିଛି। ସେହିଭଳି ଠକେଇ ଯୋଗୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ବେଶି କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ୟାଙ୍କରେ ୪୭ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ସହ ୫,୧୨୪.୮୭ କୋଟି ଟଙ୍କା ଜଡିତ ରହିଛି। ସେହିଭଳି କାନାଡା ବ୍ୟାଙ୍କରେ ୩୩ ଠକେଇ ମାମଲାରେ ୩,୮୮୫.୨୬ କୋଟି, ବ୍ୟାଙ୍କ ଅଫ୍‌ ବରୋଦାରେ ୬୦ ମାମଲାରେ ୨୮୪୨.୯୪ କୋଟି, ଇଣ୍ଡିଆନ ବ୍ୟାଙ୍କର ୪୫ ମାମଲାରେ ୧୪୬୯.୭୯ କୋଟି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ୩୭ ମାମଲା ୧୨୦୭.୬୫ କୋଟି ଏବଂ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ୯ ମାମଲାରେ ୧୧୪୦.୩୭ କୋଟି ଟଙ୍କା ଠକେଇ ହୋଇଛି। ଏହି ସମୟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୨୩୦ ଠକେଇ ସାମ୍ନାକୁ ଆସିଥିବା ବେଳେ ଏହା ସହ ୨୭୦.୩୫ କୋଟି ଟଙ୍କା ଜଡିତ ରହିଛି। ଏହାବାଦ ୟୁକୋ ବ୍ୟାଙ୍କର ୧୩୦ ମାମଲାରେ ୮୩୧.୩୫ କୋଟି, ସେଣ୍ଟ୍ରାଲ ବ୍ୟାଙ୍କରେ ୧୪୯ ମାମଲା ସାମ୍ନାକୁ ଆସିଥିବା ବେଳେ ୬୫୫.୮୪ କୋଟି, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ୧୬୩.୩ କୋଟି, ୟୁନିୟନ ବ୍ୟାଙ୍କରେ ୪୬.୫୨ କୋଟି ଟଙ୍କା ଠକେଇ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବ୍ୟାଙ୍କଗୁଡିକ ପକ୍ଷରୁ ପ୍ରଦାନ କରାଯାଇଥିବା ଏହା ପ୍ରାଥମିକ ତଥ୍ୟ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Share