ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା ସମ୍ପର୍କିତ କାରଣ ବିଷୟରେ ତର୍ଜମା କରିବା ବେଳେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ କଥା ଜାଣିପାରିଛନ୍ତି। ନିକଟରେ ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦାନ୍ତ ବିନ୍ଧାର ନୂଆ କାରଣ ବିଷୟରେ ଉଲ୍ଲେଖ କରାଯାଇଛି। ଏହାପଛରେ ଜିନ୍ଗତ ସମ୍ପର୍କ ରହିଛି ବୋଲି ଏହି ବିଶେଷଜ୍ଞମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଭଳି ସିଦ୍ଧାନ୍ତରେ ପହଞ୍ଚତ୍ବା ପୂର୍ବରୁ ସେମାନେ ଦାନ୍ତ ବିନ୍ଧା ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଉପରେ ପରୀକ୍ଷା କରିଥିଲେ। କେତେକ ଜିନ୍ର ପ୍ରଭାବରୁ ଦାନ୍ତ ବିନ୍ଧା ସମସ୍ୟା ଦେଖାଯିବାର ଯଥେଷ୍ଟ କାରଣ ରହିଛି ବୋଲି ସେମାନେ ଜାଣିପାରିଥିଲେ। ତେବେ ଏଭଳି ସମସ୍ୟା ଦେଖାଦେଲେ ଦନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇବା ଦରକାର। କେବଳ ସକାଳୁ ନୁହେଁ, ରାତ୍ରି ଭୋଜନ ପରେ ନିୟମିତ ଦାନ୍ତ ଘଷିବା ଆବଶ୍ୟକ। ଏହାର ଅବଧି ଅତିକମ୍ରେ ଦୁଇ ମିନିଟ୍ ରହିବା ଉଚିତ। ସବୁବେଳେ ଫ୍ଲୋରାଇଡଯୁକ୍ତ ଟୁଥ୍ପେଷ୍ଟରେ ଦାନ୍ତ ଘଷିଲେ ଦାନ୍ତ ଦୃଢ଼ ରହିଥାଏ।