ନୂଆଦିଲ୍ଲୀ,୨୧ା୩: ସାଉଦି ଆରବର ରିୟାଧରେ ଗତ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସେଠାର ଭାରତୀୟ ଦୂତାବାସ ଶୁକ୍ରବାର ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ ମୃତକଙ୍କ ପରିବାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବା ସହ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଛି। ଭାରତୀୟଙ୍କ ମୃତ୍ୟୁ ଘଟଣାରେ ଦୂତାବାସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। ଇରାନ ଉପରେ ଇସ୍ରାଏଲ୍ ଏବଂ ଆମେରିକାର ଆକ୍ରମଣ ପରେ ତେହରାନ ଉପସାଗରୀୟ ପଡ଼ୋଶୀ ଦେଶଗୁଡିକ ଉପରେ କ୍ରମାଗତ ଭାବେ ମିଶାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ଜାରି ରଖିଥିବାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ନେଇ ଚିନ୍ତା ବଢ଼ିଛି। ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।
ପଶ୍ଚିମ ଏସିଆ ଯୁଦ୍ଧ ଲାଗିରହିଥିବାବେଳେ ଇତିମଧ୍ୟରେ ଉପସାଗରୀୟ ଅଞ୍ଚଳରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଜଣେ ନିଖୋଜ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଥିବା ଭାରତୀୟମାନଙ୍କୁ ସହାୟତା ଓ ସ୍ବଦେଶ ପଠାଇବା ପାଇଁ ଦୂତାବାସ କର୍ତ୍ତୃପକ୍ଷ ସ୍ଥାନୀୟ ଅଧିକାରୀମାନଙ୍କ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି।

