ରାୟଗଡ଼ା ଗଲା କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ୪ଜଣିଆ ଟିମ୍‌

କଟକ ଅଫିସ,୩୦ା୧୨:୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଦଳ ରାୟଗଡ଼ା ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି। ଡିଏସ୍‌ପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ଏହି ୪ ଜଣିଆ ତଦନ୍ତକାରୀ ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର, ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଅଛନ୍ତି। ଏହାବାଦ୍‌ କ୍ରାଇମବ୍ରାଞ୍ଚ ଦଳକୁ ସହାୟତା କରିବା ପାଇଁ ୨ ଜଣ ଫୋରେନ୍‌ସିକ ବିଶେଷଜ୍ଞ ଓ ଫଟୋଗ୍ରାଫର ମଧ୍ୟ ଅଧିକାରୀମାନଙ୍କ ସହ ରାୟଗଡ଼ା ଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ତାଙ୍କ ସାଥୀ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ନେବା ପରେ ୨ଟି ମାମଲା ରୁଜୁ କରିଛି। ମୃତ ପର୍ଯ୍ୟଟକଙ୍କୁ ଦେଶର ବିଭିନ୍ନ ସ୍ଥାନ ବୁଲାଉଥିବା ଗାଇଡ୍‌, ଇନୋଭା ଗାଡ଼ିର ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ପାନାସେଙ୍କୋ ନାତାଲିଆ ଓ ତୁରୋଭ ମିଖାଇଲଙ୍କୁ ପଚରାଉଚୁରା କରିବା ପରେ କ୍ରାଇମ୍‌ବ୍ରାଞ୍ଚକୁ କିଛି ଠୋସ୍‌ ସୂଚନା ମିଳିଛି। ମୃତ ପର୍ଯ୍ୟଟକଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ସେମାନଙ୍କୁ ଯୋଗାଯୋଗ କରିବା ପ୍ରକ୍ରିୟା କ୍ରାଇମ୍‌ବ୍ରାଞ୍ଚ ଆରମ୍ଭ କରିଛି। ତେବେ ମୃତ ପର୍ଯ୍ୟଟକଙ୍କ ପରିବାର ସଦସ୍ୟଙ୍କ ସହ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ପାନାସେଙ୍କୋ ଓ ତୁରୋଭଙ୍କଠାରୁ ମିଳିଥିବା ତଥ୍ୟଗୁଡ଼ିକର ସତ୍ୟତାକୁ କ୍ରାଇମବ୍ରାଞ୍ଚ ପରଖିବ। ତେବେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବା ୨ୟ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ସାକ୍ଷୀମାନଙ୍କୁ ପଚରାଉଚରା କରିବେ। ଏଥିସହ ଘଟଣାସ୍ଥଳ ଓ ସ୍ଥାନୀୟ ପୋଲିସଠାରୁ ସାକ୍ଷ୍ୟପ୍ରମାଣ ଖୋଜିବା ସହ ସଂଗ୍ରହ କରିବାକୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ଦାୟିତ୍ୱ ପ୍ରଦାନ ଜଣାଯାଇଛି।
ଅପରପକ୍ଷରେ, କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦୁଇ ପର୍ଯ୍ୟଟକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଟୁର୍‌ରେ ଯାଉଥିବା ଗାଇଡ୍‌ ଜିତେନ୍ଦ୍ର ସିଂହଙ୍କୁ ପଚରାଉଚରା କାର୍ଯ୍ୟ ଜାରି ରଖାଯାଇଛି। ଜିତେନ୍ଦ୍ରଙ୍କଠାରୁ ମିଳିଥିବା ତଥ୍ୟର ସତ୍ୟତାକୁ ପରଖାଯିବା ସହ ସେଗୁଡ଼ିକ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକଙ୍କଠାରୁ ପ୍ରାପ୍ତ ତଥ୍ୟ ସହ ମେଳାଯାଉଛି। ସେହିପରି କ୍ରାଇମବ୍ରାଞ୍ଚ ମୃତ ପର୍ଯ୍ୟଟକଦ୍ୱୟଙ୍କ ଭାରତ ପର୍ଯ୍ୟଟନ ସମ୍ପର୍କିତ ବିଭିନ୍ନ କାଗଜପତ୍ର ସଂଗ୍ରହ କରୁଛି। ସେମାନଙ୍କ ଭ୍ରମଣ ଯୋଜନା ଓ ବିଭିନ୍ନ ଜାଗାରେ ହୋଟେଲ ରହଣିର ବୁକିଂ, ଏୟାରଲାଇନ୍ସ ଓ ଟ୍ରାଭେଲ କମ୍ପାନି ଆଦିର କାଗଜପତ୍ରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ଏଥିସହ ମୃତକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରେକର୍ଡକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ସଂଗ୍ରହ କରାଯାଉଛି।