Categories: ଅପରାଧ

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କଲା ବାପା

କାଶୀପୁର, ୮।୯: ଉତ୍ତରାଖଣ୍ଡ ଉଦାମ ସିଂ ନଗର ଜିଲାରୁ ଏକ ଭୟଙ୍କର ହତ୍ୟାର ମାମଲା ସାମ୍ନାକୁ ଆସିଛି। ପ୍ରେମ ବିବାହରେ ଅସନ୍ତୁଷ୍ଟ ହୋଇ ଜଣେ ବ୍ୟକ୍ତି ନିଜ ଝିଅ ଓ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଚାଞ୍ଚଲ୍ୟକର ଘଟଣାଟି ଜିଲାର କାଶୀପୁର ସହରରେ ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ, ସ୍ଥାନୀୟ ବାସିନ୍ଦା ମହମ୍ମଦ ରଶିଦ୍‌ ୩ ମାସ ପୂର୍ବେ ପଡ଼ୋଶୀ ନାଜିଆ ନାମ୍ନୀ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଏହି ବିବାହରେ ନାଜିଆଙ୍କ ପରିବାରବର୍ଗ ଅସନ୍ତୁଷ୍ଟ ଥିଲେ। ପରିବାର ସଦସ୍ୟଙ୍କୁ ଭୟ କରି ଉଭୟ ରଶିଦ୍‌ ଓ ନାଜିଆ ବାହାରେ ରହୁଥିଲେ। କୁହାଯାଉଛି, ଏକ ମାସ ତଳେ ନାଜିଆ ବାପାଙ୍କ ଅନୁରୋଧକ୍ରମେ ଘରକୁ ଆସିଥିଲେ। ସେବେଠାରୁ ରଶିଦ୍‌ ତାଙ୍କ ଘରେ ସ୍ତ୍ରୀ ନାଜିଆଙ୍କୁ ନେଇ ରହୁଥିଲେ। ତେବେ ସୋମବାର ରାତି ୯ଟାରେ ଉଭୟ ନାଜିଆ ଓ ରଶିଦ୍‌ ଔଷଧ ନେଇ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ନାଜିଆଙ୍କ ବାପା ଓ ଭାଇ ଦେଶୀ ବନ୍ଧୁକ ସହାୟତାରେ ଉଭୟଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଶିଦ୍‌ ଓ ନାଜିଆଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।