ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଗତ ୨୫ ତାରିଖରୁ ଅନଶନ ଆରମ୍ଭ କରାଯାଇଥିଲା। ତେବେ ଶୁକ୍ରବାର ଭାରତୀୟ ମଜଦୁର ସଂଘର ହସ୍ତକ୍ଷେପ ଏବଂ ଗୁଣପୁର ଉପଜିଲାପାଳଙ୍କ ସହ ଆଲୋଚନା ପରେ ଅଙ୍ଗନୱାଡ଼ି କର୍ମୀମାନେ ଅନଶନ ପ୍ରତ୍ୟାହାର କରିଛନ୍ତି।
ଧାରଣାରୁ ହଟିବା ପରେ ଶନିବାରଠାରୁ କର୍ମୀମାନେ ନିଜ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ଆଲୋଚନାରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏସନ୍ର ଜିଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଓ ସମ୍ପାଦିକା ଉଷାରାଣୀ ଦାଶ ଗୁଣପୁର ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ।
ବ୍ଲକ୍ ସଭାନେତ୍ରୀ ବୃନ୍ଦାବତୀ ଜେନା ଓ ସମ୍ପାଦିକା ସୁବାସିନୀ ଶବରଙ୍କ ସମେତ ଯଶସ୍ୱିନୀ ମହାପାତ୍ର, ପୁଷ୍ପା ଦେଇ, ସରସ୍ୱତୀ ଦେବୀ, ସନ୍ଧ୍ୟାରାଣୀ ଦାସ ଓ ରତନମାଳା ମହାନ୍ତିଙ୍କ ନେତୃତ୍ୱରେ ଅନଶନ ଚାଲିଥିଲା।
ସୂଚନାଯୋଗ୍ୟ, ଗୁଣପୁର ସିଡିପିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ତାଙ୍କୁ ବଦଳି କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଉପଜିଲାପାଳଙ୍କ ସହ ଆଲୋଚନା ପରେ ଅନଶନ ପ୍ରତ୍ୟାହାର କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।
Dharitri – Odisha’s No.1 Odia Daily