ପାଣିକୁ ଆୟୁଧ କରି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ନନ୍ଦପୁର,୨୭ା୩ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ପରେ ନନ୍ଦପୁର ବ୍ଲକ ଉପରେ ଏବେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ଏଠାରେ ପାଣିକୁ ଆୟୁଧ କରି ଆନ୍ଧ୍ର ଉକ୍ତ ବ୍ଲକରେ ଅନୁପ୍ରବେଶ ଉଦ୍ୟମ ଚଳାଇଛି। କିଛିଦିନ ତଳେ ବ୍ଲକର ସୀମାନ୍ତ ପଞ୍ଚାୟତଗୁଡ଼ିକରେ ଆଧାର, ରାଶନ, ଭୋଟର ପରିଚୟ ପତ୍ର, ଭତ୍ତା ଓ ବ୍ୟାଙ୍କ ଜମାଖାତା ଖୋଲି ଆନ୍ଧ୍ର ଲୋକଙ୍କୁ ବିଭିନ୍ନ ସହାୟତା ଦେଇ ନିଜ ସପକ୍ଷକୁ ନେବା ଲାଗି ଉଦ୍ୟମ ଚଳାଇଥିଲା। ଏନେଇ ଜିଲା ପ୍ରଶାସନ ସତର୍କ ରହିବାରୁ ଆନ୍ଧ୍ର ନୀରବ ରହିଥିଲା।
ଖବରରୁ ଜଣାପଡିଛି, ଏବେ ଖରା ଦିନ ଯୋଗୁ କୋରାପୁଟ ଜିଲାର ସୀମାନ୍ତ ଗ୍ରାମଗୁଡିକରେ ଜଳକଷ୍ଟ ଦେଖିବାକୁ ମିଳିଛି। ଏହାକୁ ଦୂର କରିବା ଆଳରେ ଆନ୍ଧ୍ର ନନ୍ଦପୁର ବ୍ଲକରେ ଅନୁପ୍ରବେଶ କରୁଛି। ଏହି ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ରାଇପାଡ଼ ଓ ପାନ୍ଥଲୁଙ୍ଗ ପଞ୍ଚାୟତର ଜୟନ୍ତୀଗିରି, ଶୁଡୁବ, ଅଣ୍ଡରଗୁଡା ଓ ତୋଟାଗୁଡା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ବିଭିନ୍ନ ସଂସ୍ଥା ଜରିଆରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ଘରେ ଘରେ ପାଣି ପହଞ୍ଚାଇବା ବ୍ୟବସ୍ଥା କରୁଛି। ଅନ୍ୟପକ୍ଷରେ ଲୋକ ପ୍ରତିନିଧିମାନଙ୍କ ବାରମ୍ବାର ଦାବି ପରେ ସୀମାନ୍ତ ଅଞ୍ଚଳର ଉନ୍ନୟନ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉନାହିଁ। ବ୍ଳକର ସୀମା ନିର୍ଦ୍ଧାରଣ ପାଇଁ ପଞ୍ଚାୟତ ସମିତି ବୈଠକରେ ପାରିତ ପ୍ରସ୍ତାବ ବ୍ଲକ ଓ ଜିଲା ପ୍ରଶାସନ କାର୍ଯ୍ୟକାରୀ କରୁନାହିଁ। ଏପରିସ୍ଥଳେ ଏହା ଅନୁପ୍ରବେଶ ଲାଗି ଆନ୍ଧ୍ରକୁ ବେଶ୍‌ ସୁବିଧା ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ ପକ୍ଷରୁ ହୋଇଥିବା ପାନୀୟ ଜଳ ବ୍ୟବସ୍ଥା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଆନ୍ଧ୍ର ଏହାର ସୁଯୋଗ ନେଇ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରି ସେମାନଙ୍କ ମନ ଜିଣିବାକୁ ଉଦ୍ୟମ କରୁଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଏସମ୍ପର୍କରେ ନନ୍ଦପୁର ବିଡିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀଙ୍କୁ ରବିବାର ପାନ୍ଥଲୁଙ୍ଗ ଓ ଗୋଲୁର୍‌ ପଞ୍ଚାୟତ ପରିଦର୍ଶନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଆସନ୍ତା ୨୯ରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ନେଇ ସେ ଆନ୍ଧ୍ର କରୁଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବେ। ପରେ ଆନ୍ଧ୍ରର ଏହି ପ୍ରକଳ୍ପଗୁଡ଼ିକୁ ଭାଙ୍ଗି ସେହିଦିନ ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ପାନୀୟ ଜଳଯୋଗାଣ ନେଇ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବିଡିଓ ମିଶ୍ର କହିଛନ୍ତି।