ଶହୀଦ ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ଆନନ୍ଦପୁର: ସ୍ବାମୀଙ୍କ ପରେ ବର୍ଷକ ମଧ୍ୟରେ ତିନି ପୁଅଙ୍କୁ ହରାଇଲା ମା’

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କଥାରେ ଅଛି ଦୁଃଖ ଯେତେ ବେଳେ ଆସେ ସାଙ୍ଗ ସାଥିଙ୍କୁ ନେଇ ଆସେ। ଉକ୍ତ ଲୋକକଥାଟି ଏକ ପ୍ରକାର ପ୍ରମାଣିତ ହୋଇଛି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମିରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପରିବାର କ୍ଷେତ୍ରରେ। ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ଷକ ମଧ୍ୟରେ ୩ ଭାଇ ମଧ୍ୟ ମୁତ୍ୟୁବରଣ କରିଛନ୍ତି। ତାଙ୍କ ମା’ ଦୁଃଖରେ ଭାଙ୍ଗିପଡ଼ି ରୋଗାଗ୍ରସ୍ତ ହୋଇପଡ଼ିଥିବା ବେଳେ ପୁଣି ଏକ ପୁଅର ମୃତ୍ୟୁ ତାଙ୍କୁ ଅଥୟ କରିଛି। ତାଙ୍କ ମୃତ୍ୟୁକୁ ନେଇ ଜନ୍ମମାଟି ପୌରାଞ୍ଚର ୪ନଂ. ଓ୍ବାର୍ଡ ଝୁରୁଥିବା ବେଳେ ଆତ୍ମୀୟଙ୍କ କାନ୍ଦବୋବାଳିଲେ ଅଞ୍ଚଳ ଫାଟି ପଡ଼ୁଛି।
ସୂଚନା ଅନୁଯାୟୀ, ୨୦୦୫ରେ ଆନନ୍ଦପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟରୁ ଶୁସାନ୍ତ ମାଟ୍ରିକ୍‌ ଶେଷ କରିଥିଲେ। ଆନନ୍ଦପୁର ମହାବିଦ୍ୟାଳୟରେ ସ୍ନାତକ ପଢୁଥିବାବେଳେ ୨୦୧୧ରେ ସିଆରପିଏଫରେ ଭର୍ତ୍ତି ହୋଇଥିଲେ। ୨୦୨୩ ଜୁନ୍‌ ୨ରେ ବିବାହ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ପୁର୍ଣ୍ଣିମା ପୃଷ୍ଟି ତେଲକୋଇ ଡାକ୍ତରଖାନାରେ ଏଏନ୍‌ଏମ ଭାବେ କାର୍ଯ୍ୟରତ ଅଛନ୍ତି। ସୁଶାନ୍ତଙ୍କ ବାପା ଆତୁଳ ଚରଣ ଖୁଣ୍ଟିଆଙ୍କ ୨୦୨୦ କରୋନା ସମୟରେ ମୃତ୍ୟୁ ହୋଇଥିବା ବେଳେ ମଝିଆ ଭାଇ ପ୍ରଶାନ୍ତଙ୍କ ୨୦୨୨ ଏପ୍ରିଲ ୨୪ରେ ବିୟୋଗ ଘଟିଥିଲା। ବଡ଼ ଭାଇ ସନ୍ତୋଷ କ୍ୟାନସରରେ ୨୦୨୩ ଜାନୁୟାରୀ ୨୮ରେ ବିୟୋଗ ଘଟିଛି। ମାଆ ସୁନ୍ଦରୀ ପରିବାର ଦୁଃଖରେ ଭାଙ୍ଗିପଡ଼ି ରୋଗାଗ୍ରସ୍ତ ହୋଇ ଭୁବନେଶ୍ୱରରେ ଝିଅ ଘରେ ରହି ଚିକିତ୍ସିତ ହେଉଛନ୍ତି। ପରିବାରରେ ମା’ ସୁନ୍ଦରୀ, ବଡ଼ ଭାଉଜ ଏବଂ ତାଙ୍କ ଝୋଟ ପୁଅ ରହୁଥିବା ବେଳେ ଘର ମୂରବି ଶୂନ୍ୟ ହୋଇପଡ଼ିଛି। ନିଜ ବାସଭବନରେ ପୁଅମାନଙ୍କ ମୃତ୍ୟୁ ଘଟଣାକୁ ନେଇ ବାସସ୍ଥାନରେ ବାସ୍ତୁ ଦୋଷ ରହିଥିବା ଅନୁମାନ କରି ପରିବାର ଏବେ ୬ ନଂ. ଓ୍ବାର୍ଡରେ ଭଡ଼ା ଘରେ ରହିଆସୁଛନ୍ତି।
ପ୍ରକାଶଯୋଗ୍ୟ, ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଅଞ୍ଚଳରେ ଶୁକ୍ରବାର ସିଆରପିଏଫ ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଗୁଳିମାଡ଼ରେ ସୁଶାନ୍ତ ଶହୀଦ ହୋଇଥିଲେ। ଗୁଳି ସୁଶାନ୍ତଙ୍କ ଛାତିରେ ବାଜିଥିଲା।