ଅଜଣା ରୋଗ ଉଜାଡୁଛି ଧାନ ଫସଲ

ସମ୍ବଲପୁର, ୨୩।୪: (ବ୍ୟୁରୋ) ସମ୍ବଲପୁର ଜିଲାର ହୀରାକୁଦ ଜଳଭଣ୍ଡାର ସେଚାଞ୍ଚଳରେ ଚାଷ ହୋଇଥିବା ରବି ଧାନ ଫସଲରେ ଚଳିତବର୍ଷ ଅଜଣା ରୋଗପୋକ ଉପଦ୍ରବ ଦେଖାଦେଇଛି ା ଧାନ ଗଛରୁ ବାହାରୁଥିବା କେଣ୍ଡା ଧୀରେ ଧୀରେ ଲାଲ ପଡି ଯାଉଥିବା ବେଳେ ଧାନ ପୋଲା ହୋଇଯାଉଛି। ସେଚାଞ୍ଚଳର ହଜାର ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଏହି ରୋଗ ଯୋଗୁ ଫସଲ ବିଶେଷ ପ୍ରଭାବିତ ହୋଇଛି। ଫଳରେ ଚାଷୀ ମହଲରେ ହତାଶାଭାବ ଦେଖାଦେଇଛି। ଦୀର୍ଘ ୩ ବର୍ଷ ହେବ ଏହି ରୋଗ ଲାଗି ରହିଥିବା ବେଳେ କୃଷି ବିଶେଷଜ୍ଞ ଓ କୃଷି ବିଭାଗ ଅଧିକାରୀମାନେ ରୋଗର ପ୍ରତିକାର କରିପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ହୀରାକୁଦ ସେଚାଞ୍ଚଳ ଅଧୀନରେ ଚାଷ ହୋଇଥିବା ଜମିରେ ଏଭଳି ରୋଗପୋକ ଅତ୍ୟଧିକ ମାତ୍ରାରେ ଲାଗିଥିବା ଜାଣିବାକୁ ମିଳିଛି। ପୂର୍ବରୁ ନଳୀ ପୋକ, ଗଣ୍ଠିପୋକ, ଚକଡା ପୋକ ଲାଗି ଫସଲ ନଷ୍ଟ ହେଉଥିଲା। ହେଲେ ଏବେ ଏହି ନୂଆପ୍ରକାର ରୋଗପୋକ ଉପଦ୍ରବ ଯୋଗୁ ଧାନ ଫସଲ ନଷ୍ଟ ହେବାକୁ ବସିଛି। ଫଳରେ ଚଳିତବର୍ଷ ଧାନ ଅମଳ ପରିମାଣ କମିଯିବ ବୋଲି ଚାଷୀମାନେ କହିଛନ୍ତି। ଏହାକୁ ନେଇ କିଛି ଦିନ ତଳେ ଜିଲା କୃଷକ ସଂଗଠନ ପକ୍ଷରୁ ଧାନକେଣ୍ଡା ନେଇ କୃଷି ବିଭାଗ ଅଫିସ ଘେରାଉ କରାଯାଇଥିଲା। କୃଷି ବିଭାଗ କର୍ମଚାରୀ ଓ ବିଶେଷଜ୍ଞମାନେ କ୍ଷେତ ପରିଦର୍ଶନ କରି ଓଷଧ ସିଞ୍ଚନ ପାଇଁ ପରାମର୍ଶ ଦେବେ ଓ ରୋଗର କାରଣ କ’ଣ ତଦନ୍ତ କରାଯିବ ବୋଲି କୁହାଯାଇଥିଲା। ଏହା ଭିତରେ ୮ ଦିନ ବିତି ଯାଇଥିଲେ ମଧ୍ୟ ଚାଷୀମାନଙ୍କ ପାଖରେ କୃଷି ବିଭାଗ କର୍ମଚାରୀ ପହଞ୍ଚି ପାରି ନ ଥିବା ଅଭିଯୋଗ ହେଉଛି। ଧାନ ଫସଲରେ ଏହି ଅଜଣା ରୋଗ ବଢି ଚାଲିଥିବା ବେଳେ କୀଟନାଶକ ଓ ଓଷଧର ଦାମ ବୃଦ୍ଧି ହୋଇଛି। ବାରମ୍ବାର ଓଷଧ ପକାଇବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। କେତେକ ରୋଗ ପାଇଁ ମିଳୁଥିବା ଓଷଧ ଲିଟର ପିଛା ୧୫ ହଜାର ଟଙ୍କା ରହିଛି। ଚାଷୀ ଏତେ ଦାମରେ ଓଷଧ କିଣି ଜମିରେ ପକାଇବା ସମ୍ଭବ ହେଉନାହିଁ । ଅନ୍ୟପଟେ ନଳୀ ଓ ଚକଡା ସହିତ ଅନ୍ୟାନ୍ୟ ରୋଗପୋକ ଦେଖିବାକୁ ମିଳୁଛି। ଏବେ ଧାନ କେଣ୍ଡାଗୁଡିକର ଅଗ୍ର ଭାଗ ପ୍ରଥମେ ଲାଲ ହୋଇଯାଉଛି। ପରେ ଧୀରେ ଧୀରେ ପୂରା କେଣ୍ଡା ଲାଲ ରଙ୍ଗ ହେବା ସହ ଧାନ ପୋଲା ହୋଇଯାଉଛି। ଏଥିପାଇଁ ଆବଶ୍ୟକ ମେଡିସିନ ମିଳୁନାହିଁ। କେତେକ ଦୋକାନୀ ଯେଉଁ ଓଷଧ ପକାଇବାକୁ କହୁଛନ୍ତି ତାହା ବିଲରେ ମାରିଲେ ମଧ୍ୟ କାମ ଦେଉ ନାହିଁ। ସ୍ବର୍ଣ୍ଣ କିସମର ଧାନରେ ଏହି ରୋଗ ଅଧିକ ହୋଇଥିବା ଦେଖିବାକୁ ମିଳିଛି। ହୀରାକୁଦ ସେଚାଞ୍ଚଳରେ ସମ୍ବଲପୁର, ପରମାଣପୁର, ଅପର ହୁମା, ଲୋୟର ହୁମା କେନାଲ ଦ୍ୱାରା ଚାଷ ହୋଇଥାଏ। ସମ୍ବଲପୁର ଏସଏମସି ସହିତ ମାନେଶ୍ୱର, ରେଙ୍ଗାଲି, ଧନକଉଡା, ଯୁଯୁମୁରା, ଜମନକିରା ବ୍ଲକର କେତେକ ସ୍ଥାନରେ ଫସଲ ହୋଇଛି। ଚାଷୀମାନେ ମୁଖତଃ ସ୍ବର୍ଣ୍ଣଧାନ ଚାଷ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ହେଲେ ଏଭଳି ପରିସ୍ଥିତିରେ ଧାନ ଅମଳ ପର୍ଯ୍ୟନ୍ତ ଯତ୍ନ ନେବା କଷ୍ଟକର ହୋଇଛି। ଏହି ଅଞ୍ଚଳଗୁଡିକରେ ପ୍ରାୟ ୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଫସଲ ପ୍ରଭାବିତ ହୋଇଥିବା ଚାଷୀମାନେ କହିଛନ୍ତି।