ମାଟି ତଳୁ ମୃତଦେହ କାଢ଼ି ତଦନ୍ତ

ଝରିଗାଁ,୧୨।୩(କିଶୋର ଚନ୍ଦ୍ର ମଣ୍ଡଳ):୪ ଦିନ ତଳେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିଲେ। ସେ ଗୁଣିଗାରେଡ଼ି କରୁଥିବା ନେଇ ଗାଁର କେତେଜଣ ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ବୋଲି ମୃତକଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରି ବୃଦ୍ଧାଙ୍କ ମୃତଦେହ ତାଙ୍କ ଜମିରେ ପୋତାଯାଇଥିବା ଜାଣିଥିଲା। ସେଠାରୁ ମୃତଦେହ ବାହାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ ବେଲଗାଁ ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ମୃତକ ହେଲେ ଗାଁର ରଇବାରୀ ସାନ୍ତା(୬୦)। ରାଇବରୀଙ୍କ ଝିଅ ବୁଟୁଲି ଝରିଗାଁ ଥାନାରେ ମା’ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏତଲାନୁଯାୟୀ, ରଇବାରୀ ନିଜ ପରିବାର ସହ କେନ୍ଦୁଗୁଡ଼ା ଗାଁରେ ରହୁଥିଲେ। ରଇବାରୀ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ଗାଁର କେତେଜଣ ତାଙ୍କ ସହ ସବୁବେଳେ ଗଣ୍ଡଗୋଳ କରୁଥିଲେ। ଏନେଇ ଝରିଗାଁ ଥାନାରେ ରଇବାରୀ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ଥାନା ପକ୍ଷରୁ ଉଭୟଙ୍କୁ ଡାକି ରାଜିନାମା କରାଯାଇଥିଲା। ୭ ତାରିଖ ଦିନ କେନ୍ଦୁଗୁଡ଼ା ଗ୍ରାମର ସାରଥୀ ସାନ୍ତା, ତାଙ୍କ ସ୍ତ୍ରୀ କାଜଳୀ, ମୁଗୁରୀ ସାନ୍ତା, ତାଙ୍କ ସ୍ତ୍ରୀ ଚମ୍ପା, ଲଖି ସାନ୍ତା, ପଲାଦୁ ସାନ୍ତା, ମାତିରି ସାନ୍ତା ଗୁଣି ଗାରେଡି କରୁଥିବା ସନ୍ଦେହରେ ରଇବାରୀଙ୍କୁ ଗାଳିଗୁଲଜ କରିବା ସହ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ। ପରେ ସମସ୍ତେ ରଇବାରୀଙ୍କୁ ମୁଗୁରୀ ସାନ୍ତାଙ୍କ ଘରକୁ ଟାଣି ନେଇଥିଲେ। ସେବେଠାରୁ ରଇବାରୀ ଘରକୁ ଫେରିନଥିଲେ। ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ରଇବାରୀଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ରଇବାରୀଙ୍କୁ ମାରି ପୋତି ଦେଇଥିବା ଜାଣିବା ପରେ ବୁଟୁଲି ସୋମବାର ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝରିଗାଁ ପୋଲିସ କେସ୍‌ ନମ୍ବର ୫୪/୨୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଝରିଗାଁ ଥାନାଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଏକ ଟିମ୍‌ କେନ୍ଦୁଗୁଡା ଗ୍ରାମ ଯାଇ ତଦନ୍ତ କରିଥିଲେ। ହତ୍ୟା ପରେ ଗାଁଠାରୁ ପ୍ରାୟ ତିନି କିଲୋମିଟର ଦୂର ରଇବାରୀଙ୍କ ନିଜ ଜମିରେ
ଥିବା ଏକ ଶୁଖିଲା ନାଳରେ ତାଙ୍କୁ ପୋତି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଥିଲା। ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକ, ସାଇଣ୍ଟିଫିକ୍‌ ଦଳଙ୍କ ଉପସ୍ଥିତିରେ ମାଟି ତଳୁ ମୃତଦେହ ବାହାର କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ କରାଇବାକୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ଚାଲିଛି। ତେବେ ଏବେ ପର୍ଯ୍ୟନ୍ତ କାହାରିକୁ ଗିରଫ କିମ୍ବା ଅଟକ ରଖାଯାଇନି ବୋଲି ପୋଲିସ କହିଛି।