ଏକ ଅନ୍ତର୍ମୁଖୀ ଜୀବନ

ଲଣ୍ଡନ ସହରର ପଶ୍ଚିମ ଦିଗରେ ପ୍ରାୟ ୨୨୫ କିଲୋମିଟର ଦୂରରେ ବନ୍ଦର-ନଗର ବ୍ରିଷ୍ଟଲ ଅବସ୍ଥିତ। ଏହି ସହରରେ ଅନେକ ବରପୁତ୍ର ଜନ୍ମ ହୋଇଛନ୍ତି। ବିଂଶ ଶତାବ୍ଦୀର ବିଖ୍ୟାତ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହଲିଉଡ୍‌ ଅଭିନେତା କେରି ଗ୍ରାଣ୍ଟ (୧୯୦୪-୧୯୮୬), ଯିଏକି ଦୁଇ ଥର ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେବା ସହ ୧୯୭୦ରେ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ। ତାଙ୍କ ସମ୍ମାନାର୍ଥେ ବ୍ରିଷ୍ଟଲରେ ବିଜ୍ଞାନ-ମ୍ୟୁଜିୟମ ନିକଟରେ ଏକ ମନଲୋଭା ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ସ୍ଥାନଠାରୁ ଅଳ୍ପ ଦୂରରେ ବ୍ରିଷ୍ଟଲରେ ଜନ୍ମିତ ପଦାର୍ଥଶାସ୍ତ୍ରୀ ପଲ୍‌ ଡିରାକଙ୍କ ପ୍ରତିମୂର୍ତ୍ତି ମଧ୍ୟ ଶୋଭାପାଉଛି। ଉଭୟ ଗ୍ରାଣ୍ଟ ଓ ଡିରାକ ଏକା ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପୁଣି ଡିରାକଙ୍କ ପ୍ରତିମୂର୍ତ୍ତି ନିକଟରେ ନିଜ ନାମ ବହନ କରିଥିବା ଗୋଟିଏ କୋଠା ନିର୍ମାଣ କରାଯାଇଛି, ଯେଉଁଠାରେ ଆଇଓପି (ଇନ୍‌ଷ୍ଟିଟ୍ୟୁଟ୍‌ ଅଫ ଫିଜିକ୍ସ)ର ପ୍ରକାଶନ ସଂସ୍ଥା ଅବସ୍ଥାପିତ। ପ୍ରକାଶ ଥାଉ କି, ଏକଦା ଆଇଜାକ ନିଉଟନ କେମ୍ବ୍ରିଜର କାସିଆନ ପ୍ରଫେସର ଭାବେ ଅଧିଷ୍ଠିତ ହୋଇଥିବା ପଦବୀରେ ଡିରାକ ୧୯୩୨ରେ ସେହି ଆସନରେ ନିଯୁକ୍ତ ହୋଇଥିଲେ। ପୁଣି ମାତ୍ର ୩୧ ବର୍ଷ ବୟସରେ ସେ ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ, ଯେଉଁଥିପାଇଁ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନରେ ସର୍ବକନିଷ୍ଠ ବିଜେତା ଭାବେ ସେହି ସମୟରେ ତାଙ୍କ ନାମ ଲିପିବଦ୍ଧ ହୋଇଥିଲା। କ୍ୱାଣ୍ଟମ୍‌ ମେକାନିକ୍ସରେ ତାଙ୍କ ଅଭୂତପୂର୍ବ ସଫଳତା ଲକ୍ଷ୍ୟ କରି କେତେଜଣ ବିଶେଷଜ୍ଞ ମତ ଦିଅନ୍ତି ଯେ, ନିଉଟନଙ୍କ ପରେ ବ୍ରିଟିଶ ଫିଜିସିଷ୍ଟମାନଙ୍କ ମଧ୍ୟରେ ସେ ହେଉଛନ୍ତି ସର୍ବଶ୍ରେଷ୍ଠ।
ତଥାପି ବ୍ରିଷ୍ଟଲ ସହରରେ କେରି ଗ୍ରାଣ୍ଟଙ୍କ ଯେଉଁ ପ୍ରସିଦ୍ଧି ରହିଛି, ଡିରାକ ସେଇ ତୁଳନାରେ ଯଥେଷ୍ଟ ନୂ୍ୟନ। ଏହାର ଗୋଟିଏ କାରଣ ହୋଇପାରେ ଯେ, ଚଳଚ୍ଚିତ୍ର ପରି ବିଜ୍ଞାନ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରି ନାହିଁ। ତେବେ ମୁଖ୍ୟତଃ ଡିରାକଙ୍କ କ୍ଷେତ୍ରରେ ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ତାଙ୍କ ଚରିତ୍ର ଓ ସ୍ବଭାବ। ସେ ସ୍ବଳ୍ପଭାଷୀ ଥିଲେ। ସାମାଜିକ କ୍ଷେତ୍ରରେ ସମ୍ପୃକ୍ତିଠାରୁ ଦୂରରେ ରହୁଥିଲେ। କମ୍‌ ଶବ୍ଦ ଉଚ୍ଚାରଣ କରୁଥିଲେ। ସେ ଯେତେବେଳେ ଘରୁ ପଦାକୁ ବାହାରୁଥିଲେ, ରାସ୍ତାରେ କାନ୍ଥ କଡ଼ରେ ଲୁଚି ଯାତାୟାତ କରୁଥିଲେ। ପୁଣି ଜଣାଯାଏ ଯେ, ଟିନ୍‌-ଏଜ୍‌ରେ କିଶୋର କିଶୋରୀମାନେ ସ୍ବଭାବତଃ ଯୌନ-ଆକର୍ଷଣର ସ୍ପର୍ଶ ଅନୁଭବ କରିଥାନ୍ତି। କିନ୍ତୁ ଏହି ଲକ୍ଷଣ ତାଙ୍କଠାରେ ପ୍ରକଟିତ ହୋଇ ନ ଥିଲା। ତାଙ୍କଠାରେ ପୁଲକ ଉଙ୍କିମାରୁ ନ ଥିଲା।
ମୋଟାମୋଟି ଭାବେ ସମସ୍ତେ ସ୍ବୀକାର କରିବେ ଯେ, ଡିରାକଙ୍କ ଆଚରଣ ଅସ୍ବାଭାବିକ ଓ ବିଚିତ୍ର। ଏହି ପରିପ୍ରେକ୍ଷୀରେ ତାଙ୍କ ସମ୍ପର୍କରେ ଯେଉଁ ମନ୍ତବ୍ୟ ପ୍ରକାଶିତ ହୋଇଛି, ତାହା ଉଦ୍ଧାର କରାଯାଇପାରେ, ‘ମୌଳିକ କଣିକାମାନଙ୍କ ସମ୍ବନ୍ଧରେ ‘ଷ୍ଟ୍ରେଞ୍ଜ୍‌ନେସ୍‌’ ନାମକ ଗୋଟିଏ କ୍ୱାଣ୍ଟମ ନମ୍ବର ରହିଛି। ଏହି ସଂଖ୍ୟାରୁ ଗୋଟିଏ କଣିକା କେତେ ଶୀଘ୍ର କ୍ଷୟ ହୁଏ, ତାହା ଜଣାପଡ଼େ। ଷ୍ଟ୍ରେଞ୍ଜ୍‌ନେସ୍‌ ନମ୍ବର ପ୍ରୋଟୋନ ଓ ଇଲେକ୍ଟ୍ରୋନ ପାଇଁ ଜିରୋ। କାରଣ ସେମାନଙ୍କଠାରେ ଉଦ୍ଦିଷ୍ଟ ପରିବର୍ତ୍ତନଶୀଳତା ପରିଦୃଷ୍ଟ ହୋଇ ନ ଥାଏ। ତେବେ ଓମେଗା ମାଇନସ୍‌ ପରି କଣିକାଗୁଡ଼ିକଠାରେ ଏହି ସଂଖ୍ୟା ହେଉଛି ମାଇନସ୍‌ ତିନି, କାରଣ ସେମାନଙ୍କର ତିନୋଟି କ୍ୱାର୍କ ଅଛି। … ଯଦି ଡିରାକ ଗୋଟିଏ କଣିକା ହୋଇଥାନ୍ତେ, ତା’ହେଲେ ତାଙ୍କୁ ‘ଷ୍ଟ୍ରେଞ୍ଜ୍‌’ ଭାବେ ନିଶ୍ଚିତ ପରିଚିତ କରାଯାଇଥାନ୍ତା।’ କ୍ରାଘଙ୍କ ଉପରୋକ୍ତ ତୁଳନାତ୍ମକ ଆକଳନ ନିରାଧାର ବୋଲି କହି ହେବ ନାହିଁ। ଏହି ମର୍ମରେ କେତୋଟି ଘଟଣା ଉପସ୍ଥାପନ କରାଯାଇପାରେ। ଦୀର୍ଘ ଦିନ ଧରି ତାଙ୍କ ସହ ସୁପରିଚିତ ଥିବା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଜଣେ ପଦାର୍ଥବିଜ୍ଞାନୀ ଲକ୍ଷ୍ୟ କରିଥିଲେ ଯେ, ଯଦି ବିଜ୍ଞାନ-ସମ୍ପୃକ୍ତ କୌଣସି ପ୍ରଶ୍ନ ତାଙ୍କୁ ପଚରାଯାଏ, ସେ ପାଞ୍ଚ ମିନିଟ ଛାତକୁ ଚାହାନ୍ତି, ପାଞ୍ଚ ମିନିଟ ଝରକାକୁ ଏବଂ ତା’ପରେ ଗୋଟିଏ ପଦରେ ଉତ୍ତର ସାରିଦିଅନ୍ତି: ‘ହଁ’ କିମ୍ବା ‘ନାହିଁ’। କିନ୍ତୁ ଉତ୍ତର ଠିକ୍‌ ଥାଏ। ବେଳେବେଳେ ସେ ଖୁବ୍‌ ବେଶିରେ ଆଉ ଦୁଇଟି ଶବ୍ଦ ମିଶେଇଥାନ୍ତି, ‘ମୁଁ ଜାଣେ ନାହିଁ।’ ଅବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ପରି!
ଡିରାକଙ୍କୁ ୨୩ ବର୍ଷ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ରେଗିନାଲ୍ଡ ଆତ୍ମହତ୍ୟା କରିଥିଲେ। ସେତେବେଳେ ତାଙ୍କ ବାପା-ମା ଦୁଃଖରେ ଭାଙ୍ଗିପଡ଼ିଲେ। ସେଇ ଅବସରରେ ଡିରାକ ଆଶ୍ଚର୍ଯ୍ୟାନ୍ବିତ ହୋଇଯାଇଥିଲେ ଓ ବୁଝିପାରି ନ ଥିଲେ, ‘ମୋ ବାପା-ମା’ ଏତେ ମାତ୍ରାରେ ଯତ୍ନଶୀଳ ଓ ଉତ୍କଣ୍ଠିତ ଥିଲେ ବୋଲି ମୁଁ ଜାଣି ନ ଥିଲି! ମୁଁ କଦାପି ଚିନ୍ତା କରି ନ ଥିଲି ଯେ, ଅଭିଭାବକମାନେ ନିଜ ସନ୍ତାନମାନଙ୍କ ଯତ୍ନ ଓ ଦାୟିତ୍ୱ ନେବା ଆଶା କରାଯାଏ। ତା’ପରଠୁ ମୁଁ ଏହା ଜାଣିଲି।’ ବିଭିନ୍ନ ପ୍ରକାର ପ୍ରବଳ ମାନସିକ ଧକ୍କା ଭୋଗିଥିବା ସତ୍ତ୍ୱେ ଡିରାକ ଜୀବନରେ ଥରେ ମାତ୍ର ୧୯୫୫ରେ କାନ୍ଦିଥିଲେ, ଯେତେବେଳେ ତାଙ୍କ ଅନ୍ତରଙ୍ଗ ଆଇନଷ୍ଟାଇନଙ୍କ ଦେହାବସାନ ଘଟିଲା। ଆବେଗଶୂନ୍ୟ ଓ ଅବିଚଳିତ ଭାବେ ରହିବା ଏକ ଅନନ୍ୟସାଧାରଣ ପ୍ରକୃତି।
ଯେତେବେଳେ ନୋବେଲ ପୁରସ୍କାର ଘୋଷଣା କରାଗଲା, ଡିରାକ ଏହା ପ୍ରତ୍ୟାଖ୍ୟାନ କରିବା ପାଇଁ ଇଚ୍ଛୁକ ଥିଲେ, କାରଣ ସେ ଭୟ କରୁଥିଲେ ଯେ, ସେ ଆଉ ଶାନ୍ତିରେ ରହିପାରିବେ ନାହିଁ। ଅଭିନନ୍ଦନର ସୁଅ ତାଙ୍କୁ ବ୍ୟତିବ୍ୟସ୍ତ କରିବ। ବିଭିନ୍ନ ବ୍ୟକ୍ତି ଓ ସଂଗଠନ ସାକ୍ଷାତ୍‌କାର ଓ ଫଟୋଅପ୍‌ ପାଇଁ ତାଙ୍କୁ ଅଥୟ କରିଦେବେ। ସର୍ବୋପରି ତାଙ୍କ ଗବେଷଣା କାର୍ଯ୍ୟ ଅତି ମାତ୍ରାରେ ବାଧାପ୍ରାପ୍ତ ହେବ। କିନ୍ତୁ ନୋବେଲ ବିଜୟୀ ଏର୍ନେଷ୍ଟ ରଦରଫୋର୍ଡ (ନ୍ୟୁଜିଲାଣ୍ଡ) ଉପଦେଶ ଦେଲେ ଯେ, ପୁରସ୍କାର ଗ୍ରହଣ ନ କଲେ ସେ ଆହୁରି ଅଧିକ ଆଲୋଚିତ ହେବେ ଓ ସାରାବିଶ୍ୱର ଏହା ଦୃଷ୍ଟିଆକର୍ଷଣ କରିବା ଫଳରେ ସେ ମୁହୂର୍ତ୍ତେ ମଧ୍ୟ ଶାନ୍ତିରେ ରହିପାରିବେ ନାହିଁ। ତେଣୁ ପୁରସ୍କାର ଗ୍ରହଣ କରିବା ଏକ ବିଜ୍ଞ ପଦକ୍ଷେପ ହେବ। ଡିରାକ ରଦରଫୋର୍ଡଙ୍କ ପରାମର୍ଶ ସ୍ବୀକାର କରିଥିଲେ ପରିଶେଷରେ ଅନିଚ୍ଛା ସତ୍ତ୍ୱେ।
୧୯୫୩ ରେ ତାଙ୍କୁ ବ୍ରିଟିଶ ନାଇଟହୁଡ୍‌ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ଏହା ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ତାଙ୍କ ନାମ ଆଗରେ ‘ସାର୍‌’ ଯୋଡ଼ାଯିବ ଓ ସେ ‘ସାର୍‌ ପଲ୍‌’ ଭାବେ ସମ୍ବୋଧିତ ହେବେ! ଏହା ସେ ପସନ୍ଦ କରୁ ନ ଥିଲେ। ଅବଶ୍ୟ ୨୦ ବର୍ଷ ପରେ ୧୯୭୩ରେ ଉଚ୍ଚ ମର୍ଯ୍ୟାଦାସମ୍ପନ୍ନ ‘ଅର୍ଡର ଅଫ ମେରିଟ’ ଦ୍ୱାରା ମହିମାମଣ୍ଡିତ ହେବାକୁ ନାରାଜ ହୋଇ ନ ଥିଲେ, ଯଦିଚ ଏହା ନାଇଟ-ହୁଡ୍‌ ଅପେକ୍ଷା ଅଧିକ ଗୌରବାବହ ନ ଥିଲା।
ଲଣ୍ଡନର ଏକ ଖବରକାଗଜ ତାଙ୍କୁ ଲକ୍ଷ୍ୟକରି ଶିରୋନାମା ଲେଖିଥିଲା, ‘ଦା ଜିନିଅସ୍‌ ହୁ ଫିୟର୍‌ସ ଅଲ୍‌ ଓମେନ… ସାର୍‌ ଆଜ୍‌ ଏ ଗଜଲ ଆଣ୍ଡ ମୋଡେଷ୍ଟ ଆଜ୍‌ ଏ ଭିକ୍ଟୋରିଆନ ମେଡ।’ ଅର୍ଥାତ୍‌ ସେ ଗୋଟିଏ କ୍ଷୁଦ୍ର ନମନୀୟ କୃଷ୍ଣସାର ମୃଗ ପରି ଲଜ୍ଜାଶୀଳ ଥିଲେ। ନିଜ ପୋଷାକ ପରିଚ୍ଛଦ ସମ୍ପୂର୍ଣ୍ଣ ପରିଚ୍ଛନ୍ନ ରଖିବା ସହ ସମୟାନୁବର୍ତ୍ତୀ ହୋଇ କାମ କରୁଥିଲେ, ଯାହାକି ଭିକ୍ଟୋରିଆନ୍‌ ଚାକରାଣୀର କାର୍ଯ୍ୟପଦ୍ଧତି ସଦୃଶ।
ତାଙ୍କର ଏହି ଲକ୍ଷଣ ଗୋଟିଏ ଘଟଣା ଦ୍ୱାରା ପୁଷ୍ଟ ହେଉଛି। ଯେତେବେଳେ ମହତ୍ତ୍ୱପୂର୍ଣ୍ଣ ସମ୍ମିଳନୀ ଓ ସମ୍ପାନରେ ଯୋଗ ଦେବାକୁ ଥିବା ସଦସ୍ୟମାନେ ପ୍ରଥା ସମର୍ଥିତ ପୋଷାକ ପିନ୍ଧିବା ଘଟଣା ଅନୁସୃତ। ଏକଦା ବ୍ରୁସେଲ୍‌ସରେ ୧୯୨୭ରେ ଅନୁଷ୍ଠିତ ପଞ୍ଚମ ସୋଲ୍‌ଭେ କନ୍‌ଫରେନ୍ସରେ ପରବର୍ତ୍ତୀ ସମୟରେ ତାଙ୍କ ସହ ନୋବେଲ ସହବିଜେତା ସ୍କ୍ରୋଡିର ଗୋଟିଏ ସ୍ପୋଟର୍‌ସ ଜ୍ୟାକେଟ ଓ ବୋ-ଟାଇ ପିନ୍ଧି ଆସିଥିଲେ। ପରମ୍ପରାର ଖାତିରରେ ଡିରାକ ଅନ୍ୟ ସଦସ୍ୟମାନଙ୍କ ପରି କଳା କୋଟ୍‌ ଓ ଷ୍ଟାର୍ଚଡ କଲାର ଥିବା ପୋଷାକ ପରିଧାନ କରିଥିଲେ। ବନ୍ଧୁ ସ୍କ୍ରୋର୍ଚଡରଙ୍କ ବ୍ୟବସ୍ଥା ତାଙ୍କୁ ଗଭୀର ଦୁଃଖ ଦେଇଥିଲା।
ବାସ୍ତବିକ ଡିରାକ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ସେ କେତେକ ବିଷୟରେ ଅତି ପ୍ରତିକ୍ରିୟାଶୀଳ ହୋଇଯାଉଥିଲେ। ତେବେ ଡିରାକଙ୍କୁ ବୁଝିବା ସକାଶେ ଆମେରିକୀୟ ଲେଖିକା ସୁସାନ କେନ ଅନ୍ତର୍ମୁଖୀ ବ୍ୟକ୍ତି (ଇଣ୍ଟ୍ରୋଭେର୍ଟ)ମାନଙ୍କ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ଅତ୍ୟନ୍ତ ଉପାଦେୟ, ‘ଭଲ ଭାବେ କହୁଥିବା ଓ ଅଭିନବ ଧାରଣା ଜାତ କରୁଥିବା ବ୍ୟକ୍ତି ପରସ୍ପରଠାରୁ ଅଲଗା। ଆମର ସଭ୍ୟତା ନୀରବ ଓ ଗମ୍ଭୀର ବ୍ୟକ୍ତିମାନଙ୍କ ବିପକ୍ଷେ ପକ୍ଷପାତପୂର୍ଣ୍ଣ ମତ ପୋଷଣ କରିଥାଏ। କିନ୍ତୁ ଅନ୍ତର୍ମୁଖୀ ବ୍ୟକ୍ତିମାନେ ମାନବ-ସମାଜର ଅନେକ କୃତିତ୍ୱ ପାଇଁ ଦାୟୀ।’ ଏହି ବିଚାରକୁ ପ୍ରାଧାନ୍ୟ ଦେଲେ ଡିରାକଙ୍କୁ ବୁଝିବା ଅଧିକ ପ୍ରାସଙ୍ଗିକ ଓ ବାସ୍ତବ ହେବ। ତେଣୁ ବ୍ରିଷ୍ଟଲ ସହରରେ ଯଦିଓ ଡିରାକ ଅଭିନେତା କେରି ଗ୍ରାଣ୍ଟଙ୍କ ପରି ଜନପ୍ରିୟ ହୋଇପାରି ନାହାନ୍ତି, ଏଥିରେ କୌଣସି ବୈଚିତ୍ର୍ୟ ନାହିଁ।

ସତ୍ୟନାରାୟଣ ଦେହୁରୀ
ବଡ଼ଖେମୁଣ୍ଡି ବଙ୍ଗଳା
ଉତ୍କଳ ଆଶ୍ରମ ମାର୍ଗ, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri