ମାଟିମନସ୍କ ମହାମହିମ : ଏକ ଅନବଦ୍ୟ ଜୀବନଯାତ୍ରା

ସତରେ କ’ଣ ମାଟିଠୁ ଆକାଶ ଯାଏ ସେତୁ ବାନ୍ଧି ହୁଏ! ସତରେ କ’ଣ ମାଟି ଉପରେ ପାଦ ଥାପି ଆକାଶକୁ ହାତ ମୁଠାରେ ତୋଳି ଧରିହୁଏ! ମାଟିଠୁ ଆକାଶ ପର୍ଯ୍ୟନ୍ତ- ଏ କାହାଣୀ ଏକ ଅଭୂତପୂର୍ବ ଓ ଅନବଦ୍ୟ ଯାତ୍ରାର, ଯାହାର କୌଣସି ଦ୍ୱିତୀୟ ଦୃଷ୍ଟାନ୍ତ ନାହିଁ ଭାରତରେ। ଅସମ୍ଭବ ମନେ ହେଉଥିବା ଏ ଯାତ୍ରାର ଦୁର୍ବିନୀତ ଯାତ୍ରୀ ହେଉଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜର ଏକ ଅପହଞ୍ଚ ଗାଁ ଉପରବେଡ଼ାର ଏକ ସାନ୍ତାଳି ପରିବାରରେ ଦ୍ରୌପଦୀଙ୍କ ଜନ୍ମ। ପରିବାରର ଆର୍ଥିକ ଅବସ୍ଥା ଆଦୌ ସ୍ବଚ୍ଛଳ ନ ଥିଲା। ଗାଁଟି ଥିଲା ଦାରିଦ୍ର୍ୟ ଅଧ୍ୟୁଷିତ। ବିଦ୍ୟୁତ୍‌ ଯୋଗାଣ ନ ଥିଲା କି ପିଇବା ପାଣିର ସୁବିଧା ନ ଥିଲା। ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଦ୍ରୌପଦୀ ଗାଁ ସ୍କୁଲରେ ପାଠ ପଢ଼ା ସାରି ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ଶିକ୍ଷା ଲାଭ କରିଥିଲେ। ମୟୂରଭଞ୍ଜର ଏକ ଅଖ୍ୟାତ ପଲ୍ଲୀରୁ ଯାଇ ରାଜଧାନୀର ଏକ ସମ୍ଭ୍ରାନ୍ତ କଲେଜରେ ପାଠ ପଢ଼ିବା ସମ୍ଭବ ହୋଇପାରିଥିଲା ଦ୍ରୌପଦୀଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଶିକ୍ଷା ପ୍ରତି ଗଭୀର ଅନୁରକ୍ତି କାରଣରୁ। ଗାଁର ପ୍ରଥମ ମହିଳା ଭାବରେ ସ୍ନାତକ ହେବା ଦ୍ରୌପଦୀଙ୍କ ପାଇଁ କେବଳ ଏକ ବ୍ୟକ୍ତିଗତ ଉପଲବ୍ଧି ମାତ୍ର ନ ଥିଲା। ଏହା ଥିଲା ସମଗ୍ର ସାନ୍ତାଳି ସମାଜ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଏବଂ ଏକ ନୂଆ ଆରମ୍ଭ ପାଇଁ ଆହ୍ବାନ।
ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଦ୍ରୌପଦୀ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ଓଡ଼ିଶାର ଜଳସେଚନ ଓ ବିଦ୍ୟୁତ୍‌ ବିଭାଗରେ କନିଷ୍ଠ ସହାୟକ ଭାବେ କାମ କରିଥିଲେ ଏବଂ ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ରାଇରଙ୍ଗପୁରର ଶ୍ରୀଅରବିନ୍ଦ ସମନ୍ବିତ ଶିକ୍ଷାକେନ୍ଦ୍ରରେ ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଶିକ୍ଷାକୁ ସଶକ୍ତୀକରଣର ଏକ ମାଧ୍ୟମ ଭାବରେ ଦେଖିଥିବା ଏହି ଅନୁଭବ ପରବର୍ତ୍ତୀ ସମୟରେ ତାଙ୍କ ରାଜନୈତିକ ଜୀବନକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା। ୧୯୯୭ରେ ମୁର୍ମୁ ଭାଜପାରେ ଯୋଗଦେଇ ରାଇରଙ୍ଗପୁର ନଗର ପରିଷଦର କାଉନ୍‌ସିଲର ଭାବରେ ନିର୍ବାଚିତ ହୋଇଥିଲେ। ତୃଣମୂଳ ସ୍ତରରେ ତାଙ୍କ କାର୍ଯ୍ୟ ତାଙ୍କୁ ଲୋକପ୍ରିୟ କରିଥିଲା। ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ସେ ଭାଜପା ଟିକେଟରେ ରାଇରଙ୍ଗପୁର ଆସନରୁ ଲଢ଼ି କ୍ରମାଗତ ଦୁଇଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ରାଜ୍ୟମନ୍ତ୍ରୀ ଭାବରେ ଓଡ଼ିଶା ସରକାରରେ କାମ କରିଥିଲେ। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ମନ୍ତ୍ରିତ୍ୱ କାଳରେ ଯଥେଷ୍ଟ ଲୋକପ୍ରିୟତା ସାଉଁଟିଥିଲେ। ୨୦୦୭ରେ ତାଙ୍କର ରାଜନୈତିକ ନିଷ୍ଠା ଓ ପ୍ରତିବଦ୍ଧତାକୁ ସ୍ବୀକୃତି ଜଣାଇ ତାଙ୍କୁ ନୀଳକଣ୍ଠ ସର୍ବୋତ୍କୃଷ୍ଟ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଥିଲା।
୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଶପଥ ନେଇ ଇତିହାସ ରଚିଲେ। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ଭାବରେ ଦାୟିତ୍ୱ ନିର୍ବାହ କରିବା ସମୟରେ ଝାଡ଼ଖଣ୍ଡରେ ଜନଜାତି ଅଧିକାରର ସୁରକ୍ଷା ପାଇଁ ସେ ଦୃଢ଼ ପଦକ୍ଷେପ ନେଇଥିଲେ। ବିଶେଷକରି ଛୋଟନାଗପୁର ପ୍ରଜାସ୍ବତ୍ୱ ଆଇନ ୧୯୦୮ ଓ ସାନ୍ତାଳ ପ୍ରଗଣା ପ୍ରଜାସ୍ବତ୍ୱ ଆଇନ ୧୯୪୯ର ସଂଶୋଧନକୁ ସ୍ବୀକୃତି ନ ଦେଇ ସେ ନିଜ ରାଜନୈତିକ ନିରପେକ୍ଷତା ଓ ଆଦର୍ଶର ପ୍ରମାଣ ଦେଇଥିଲେ। ଏହି ସଂଶୋଧନକୁ ସ୍ବୀକୃତି ମିଳିଥିଲେ ଆଦିବାସୀଙ୍କ ଜମି ବାଣିଜି୍ୟକ ବ୍ୟବହାର ପାଇଁ ଅନୁମତି ମିଳିବାର ବାଟ ଫିଟିଥାନ୍ତା, ଯାହାକି ଜଳ, ଜମି, ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାରକୁ ବହୁ ପରିମାଣରେ ବିପନ୍ନ କରିଥାନ୍ତା। ସେ ଏହି ବିଲ୍‌ଗୁଡ଼ିକୁ ରାଜ୍ୟ ସରକାରଙ୍କୁ ଫେରେଇ ଦେଇଥିଲେ ଏବଂ ଏଥିପାଇଁ ରାଜ୍ୟର ୧୯୨ଟି ଜନଜାତି ସଂଗଠନ ତାଙ୍କୁ ସମର୍ଥନ ଦେଇଥିଲେ।
୨୦୨୨ରେ ବିରୋଧୀ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରି ଭାରତର ପ୍ରଥମ ଜନଜାତି ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ। ଏହା ଥିଲା ଭାରତର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ। ଶପଥ ନେବା ପରେ ତାଙ୍କ ପ୍ରାରମ୍ଭିକ ଉଦ୍‌ବୋଧନରେ ସେ କହିଥିଲେ : ‘ମୋର ନିର୍ବାଚନ ଏହି କଥାର ସାକ୍ଷ୍ୟ ଯେ, ଭାରତର ଗରିବ ଲୋକମାନେ ସ୍ବପ୍ନ ଦେଖିପାରନ୍ତି ଓ ସେହି ସ୍ବପ୍ନକୁ ପୂରଣ କରିପାରନ୍ତି।’ ତାଙ୍କର ନେତୃତ୍ୱ ବଞ୍ଚିତ – ଅବହେଳିତ ସମୁଦାୟ, ଶିକ୍ଷାର ବିକାଶ ଓ ସାମାଜିକ ନ୍ୟାୟ ପ୍ରତି ଗଭୀର ପ୍ରତିବଦ୍ଧତା ଉପରେ କେନ୍ଦ୍ରୀଭୂତ।
ଦ୍ରୌପଦୀ ମୁର୍ମୁ ନିଜ ବ୍ୟକ୍ତିଗତ ଜୀବନରେ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛନ୍ତି। ପ୍ରତିଟି ସଙ୍କଟକୁ ସେ ସାହସର ସହ ମୁକାବିଲା କରିଛନ୍ତି ଏବଂ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜର ରାଜନୈତିକ ଜୀବନଯାତ୍ରା ଅବ୍ୟାହତ ରଖିଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ସେ ତାଙ୍କ ସ୍ବାମୀ ଓ ଦୁଇପୁଅଙ୍କୁ ହରାଇଥିଲେ, ହେଲେ ହାର୍‌ ମାନି ନ ଥିଲେ। ଭାଗ୍ୟ ସହ ଯୁଝି ସେ ନିଜ ପାଇଁ ରାସ୍ତା ତିଆରି କରିଛନ୍ତି ଓ ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟି ଯାଇଛନ୍ତି।
ରାଷ୍ଟ୍ରପତି ପଦରେ ଆସୀନ ହୋଇ ମଧ୍ୟ ମୁର୍ମୁ ମାଟି-ମଣିଷମାନଙ୍କ ସହ ତାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ଓ ସମ୍ପୃକ୍ତିରୁ ବିଚ୍ଛିନ୍ନ ହୋଇନାହାନ୍ତି। ବରଂ ଭାରତର ସବୁବର୍ଗର ଲୋକଙ୍କ ସହିତ ଅଧିକରୁ ଅଧିକ ଯୋଡ଼ି ହେବା ଏବଂ ସେମାନଙ୍କ ସମସ୍ୟା ସହିତ ନିଜକୁ ସାମିଲ କରିବା ଦିଗରେ ନିଜର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦ୍ରୌପଦୀ ମୁର୍ମୁ ଭାରତୀୟ ଲୋକତନ୍ତ୍ରର ଶକ୍ତି ଓ ସାମର୍ଥ୍ୟର ଜ୍ୱଳନ୍ତ ପ୍ରତୀକ – ଯେଉଁଠି ଦାରିଦ୍ର୍ୟ ପ୍ରପୀଡ଼ିତ, ବିକାଶ ପରିଧିଠୁ ଯୋଜନ ଯୋଜନ ଦୂରରେ ଥିବା ଏକ ଅଖ୍ୟାତ ଜନଜାତି ଗାଁରୁ ବାହାରି ଜଣେ ମହିଳା ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହୋଇପାରେ। ତାଙ୍କ ଜୀବନ ସମସ୍ୟା-ଜର୍ଜରିତ ବଞ୍ଚିତ ମଣିଷମାନଙ୍କୁ ବଡ଼ ସ୍ବପ୍ନ ଦେଖିବା ଓ ସେହି ସ୍ବପ୍ନ ପାଇଁ ଲଢ଼ିବାକୁ ପ୍ରେରିତ କରିଛି। ତାଙ୍କ ଶୁଭ ସ୍ବନକ୍ଷତ୍ରରେ ମାଟିମନସ୍କ ମହାମହିମଙ୍କୁ ଅସରନ୍ତି ଅଭିନନ୍ଦନ ଓ କୋଟି କୋଟି ପ୍ରଣାମ।

ନେତାଜୀ ଅଭିନନ୍ଦନ
-ପ୍ରଫେସର ତଥା ବିଭାଗୀୟ ମୁଖ୍ୟ, ରାଜନୀତି ବିଜ୍ଞାନ ବିଭାଗ, ରେଭେନଶା ବିଶ୍ୱବିଦ୍ୟାଳୟ, କଟକ


Enter your email to get our daily news in your inbox.

All Right Reserved By Dharitri.Com

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri