ଘଟଣା ଚପାଇଦେବାକୁ ଉଦ୍ୟମ

କେନ୍ଦୁଝର,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର ମାମଲା ଚପାଇଦେବାକୁ ଉଦ୍ୟମ ହେଉଛି। ଉକ୍ତ ଘଟଣା ଓ ଅନ୍ୟାନ୍ୟ ସମସ୍ୟା ନେଇ ସୋମବାର କଂଗ୍ରେସର ଏକ ପ୍ରତିନିଧି ଦଳ୍‌ ଡାକ୍ତରଖାନାକୁ ଯାଇ ରୋଗୀ, ଡାକ୍ତର ତଥା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହ ଡାକ୍ତରଖାନ ବୁଲି ବିଭିନ୍ନ ସମସ୍ୟାକୁ ଦେଖିଥିଲେ।
ଅନୁଯାୟୀ, ନିକଟରେ ଡାକ୍ତରଖାନାର ମାତୃ ମଙ୍ଗଳ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କ ପ୍ରସବ ପରେ ଡାକ୍ତର ଅନୁମତି ନ ନେଇ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ଦେଇଥିଲେ। ଏ ନେଇ ମହିଳାଙ୍କ ସ୍ବାମୀ କେନ୍ଦୁଝର ଟାଉନ ଥାନାରେ ଏତଲା ଦେଇଥିଲେ। ଉକ୍ତ ଘଟଣାକୁ ଚପାଇଦେବାକୁ ସମ୍ପୃକ୍ତ ମହିଳା ପବିତ୍ରାଣୀ ଓ ତାଙ୍କ ସ୍ବାମୀ ସୁଶାନ୍ତ ବାରିକଙ୍କ ଉପରେ ବିଭିନ୍ନ ଆଡୁ ଚାପପଡୁଛି ବୋଲି ଅଭିଯୋଗ ପରେ କଂଗ୍ରେସ ନେତାମାନେ ଏହାର ଜବାବ ମାଗିଥିଲେ। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଏଯାବତ୍‌ ଡାକ୍ତରଖାନା ଓ ପୋଲିସ ପ୍ରଶାସନ ଅଭିଯୋଗକାରୀ ସ୍ବାମୀଙ୍କୁ ଡାକି ନ ଥିବାରୁ ସେମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି। କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଐତିହ୍ୟ ଦିବ୍ୟ ସିଂହଙ୍କ ନେତୃତ୍ୱରେ ଦଳ ତଦନ୍ତ ସମ୍ପର୍କରେ ବୁଝିବାକୁ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ପାଇ ଡାକ୍ତର ବିବି ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ତଦନ୍ତରେ ଆଶା କର୍ମୀ ଓ ଉପସ୍ଥିତ ଲୋକଙ୍କୁ ସାମିଲ କରାଯାଇ ନ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ଯଦି ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲା କଂଗ୍ରେସ ସିଡିଏମଓ ଅଫିସ ଘେରାଉ କରିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଥିଲେ। ପରେ ଦଳ ଓ୍ବାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଥିଲେ। ରୋଗୀ ପଞ୍ଜୀକରଣ କାଉଣ୍ଟର କକ୍ଷରେ ପଙ୍ଖା ଅଚଳ ଥିବାରୁ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ବିରକ୍ତି ପ୍ରକାଶ କରିଥିଲେ।