Categories: ଫୁରସତ

ନାକରେ ଲାଗିବ ଏୟାର ପ୍ୟୁରିଫାୟର

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଲୋକେ ମାସ୍କ ପିନ୍ଧିବା ସହିତ ଘରେ ଏୟାର ପ୍ୟୁରିଫାୟର ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ଆପଣ ଯେଉଁ ସ୍ଥାନରେ ଥିଲେ ବି ଏୟାର ପ୍ୟୁରିଫାୟର ଲଗାଇଥିବାର ଫାଇଦା ପାଇପାରିବେ। କାହିଁକିନା ଏବେ ଏମିତି ଏକ ଛୋଟ ଏୟାର ପ୍ୟୁରିଫାୟର ତିଆରି କରାଯାଇଛି ଯାହାକୁ ସିଧାସଳଖ ନାକରେ ପିନ୍ଧିପାରିବେ।
ଦିଲ୍ଲୀର ଷ୍ଟାର୍ଟଅପ୍‌ ନାନୋକ୍ଲିନ୍‌ ଗ୍ଲୋବାଲ୍‌ ତିଆରି କରିଛି ଏୟାର ପ୍ୟୁରିଫାୟର ନାସୋ-୯୫। ଏନ୍‌-୯୫ ମାସ୍କ ଭଳି ଏହା ନାଜାଲ ଫିଲ୍‌ଟର୍‌ ରୂପେ କାମ କରିଥାଏ। ତେଣୁ ନାସୋ-୯୫କୁ ନାକରେ ଲଗାଇବା ଫଳରେ ତାହା ବାୟୁମଣ୍ଡଳରେ ଥିବା ଧୂଳି, ଭାଇରସ୍‌ କିମ୍ବା ବ୍ୟାକ୍ଟେରିଆକୁ ଭିତରକୁ ପଶିବାକୁ ଦେଇ ନ ଥାଏ। ନାସୋ-୯୫କୁ ଚାରୋଟି ଭିନ୍ନ ଭିନ୍ନ ସାଇଜ୍‌ରେ ତିଆରି କରାଯାଇଛି। ତେଣୁ ବୟସ୍କଙ୍କ ସହିତ ସବୁ ବୟସର ପିଲାମାନେ ମଧ୍ୟ ଏହାକୁ ବେଶ୍‌ ଆରାମରେ ବ୍ୟବହାର କରିପାରିବେ। କମ୍ପାନୀର ଦାବି ଅନୁସାରେ ଏହା ସାଧାରଣ ମାସ୍କ ତୁଳନାରେ ଅଧିକ ଫଳପ୍ରଦ। ଏହା ସହିତ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପରୀକ୍ଷା କରାଯାଇ ସାରିଛି। ଏହି ଉପକରଣଟି ବାୟୁମଣ୍ଡଳରେ ରହିଥିବା ଅନ୍ୟ ବିଷାକ୍ତ ପଦାର୍ଥଠାରୁ ମଧ୍ୟ ରକ୍ଷା କରିପାରିବ। ତେଣୁ ଫୁସଫୁସ୍‌ କ୍ୟାନସର କିମ୍ବା ଅନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିବ। ଖୁବଶୀଘ୍ର ଏହା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବଜାରକୁ ଆସିବ ବୋଲି କମ୍ପାନୀ କହିଛି।

Share