ଭୁବନେଶ୍ୱର,୬ା୩: ଭୁବନେଶ୍ୱର ବିମାନବନ୍ଦରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ପହଞ୍ଚିଛନ୍ତି। ଶାହା ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ବାଗତ କରିଥିଲେ। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ଶାହାଙ୍କୁ ସ୍ବାଗତ କରିଛନ୍ତି। ଆଜି କଟକ, ଭୁବନେଶ୍ୱର, ପାରାଦୀପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏଥିସହିତ ମୁଣ୍ଡଳିରେ ସିଆଇଏସ୍ଏଫ୍ର ୫୭ତମ ପ୍ରତିଷ୍ଠା ଉତ୍ସବରେ ଶାହା ମଧ୍ୟ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି।
ଗୁରୁବାର ଗୃହ ବିଭାଗ ଅତିରିକ୍ତ ସଚିବ ଭବେଶ କୁମାର ନାୟକ ଏ ସଂକ୍ରାନ୍ତରେ ରାଜ୍ୟ ଉନ୍ନୟନ ଆୟୁକ୍ତ, ପୋଲିସ ମହାନିର୍ଦେଶକଙ୍କ ସମେତ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଥିଲେ। ବିଭାଗ ପକ୍ଷରୁ ଜାରି ସଂଶୋଧିତ ସୂଚୀ ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ବିଏସ୍ଏଫ୍ ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରଠାରୁ କଟକ ମୁଣ୍ଡୁଳି ଅଭିମୁଖେ ଯିବେ। ସେଠାରେ ୧୦ଟା ୫୫ ମିନିଟରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟ୍ ଫୋର୍ସର ରାଇଜିଂ ଡେ’ ତଥା ସ୍ଥାପନ ଦିବସରେ ଯୋଗଦେବେ। ଏହାପରେ ଅପରାହ୍ନ ୧ଟା ୩୫ମିନିଟରେ ମୁଣ୍ଡୁଳିରୁ ପ୍ରତ୍ୟାବର୍ତ୍ତନ କରି ପାରାଦୀପ ଇଫ୍କୋ ୟୁନିଟ୍କୁ ଗସ୍ତ କରିବେ। ସେଠାରେ ସଲ୍ଫ୍ୟୁରିକ୍ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ଏହାପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୩ଟା ୫୫ମିନିଟରେ ଏନ୍ଏଫ୍ଏସ୍ୟୁର ସ୍ଥାୟୀ ଏବଂ ପରେ ସିଏଫ୍ଏସଏଲ ଭବନର ଶିଳାନ୍ୟାସ କରିବେ। ଏହି ଅବସରରେ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ୩ଟି ନୂତନ ଆଇନ ଉପରେ ରାଜ୍ୟସ୍ତରୀୟ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି। ସନ୍ଧ୍ୟା ୭ଟା ୩୦ମିନିଟରେ ଦିଲ୍ଲୀ ଅଭିମୁଖେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି।

