Categories: ବାଣିଜ୍ୟ

ଅମିତ୍‌ ଟିପିଏସ୍‌ଓଡିଏଲ୍‌ର ନୂଆ ସିଇଓ

ଭୁବନେଶ୍ୱର,୧।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌’(ଟିପିଏସ୍‌ଓଡିଏଲ୍‌)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଅମିତ୍‌ ଗର୍ଗଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ମାର୍ଚ୍ଚ ୨୫ ରେ ଅନୁଷ୍ଠିତ ଟିପିଏସ୍‌ଡିଏଲ୍‌ର ନିର୍ଦ୍ଦେଶକଙ୍କ ବୋର୍ଡ ବୈଠକରେ ଅମିତ୍‌ଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରିବା ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍‌ ୧ ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସେ ଟିପିଏସ୍‌ଓଡିଏଲ୍‌ରେ ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଭାବେ ୨୦୨୨ ଅଗଷ୍ଟରୁ କାର୍ଯ୍ୟ କରୁଥିଲେ। ସେହିଭଳି ଅମିତ୍‌ ଟାଟା ପାୱାର ଟ୍ରେଡିଂ କମ୍ପାନୀ ଲିମିଟେଡ୍‌ (ଟିପିଟିସିଏଲ୍‌)ର ସିଇଓ ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଶେଷକରି ବିଦ୍ୟୁତ୍‌ ଶିଳ୍ପରେ ୩ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରଖିଥିବା ଅମିତ୍‌ ମଧ୍ୟପ୍ରଦେଶର ଜବଲପୁର ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ଟିପିଏସ୍‌ଓଡିଏଲ୍‌ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟର ନେତୃତ୍ୱ ନେବା ଲାଗି ମୋ ଉପରେ ଭରସା ପ୍ରକଟ କରିଥିବାରୁ ମୁଁ ଟିପିଏସ୍‌ଓଡିଏଲ୍‌ ବୋର୍ଡକୁ ଧନ୍ୟବାଦ ଜଣାଉଛି। ଏପରିକି ଏକ ଭରସାଯୋଗ୍ୟ ଓ ପ୍ରଭାବଶାଳୀ ବିଦ୍ୟୁତ୍‌ ବଣ୍ଟନ ସେବା ପ୍ରଦାନ ସଂସ୍ଥା ଭାବେ ଦକ୍ଷିଣ ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳ ସମେତ ସମସ୍ତ ଗ୍ରାହକଙ୍କ ଜୀବନକୁ ସଶକ୍ତ କରିବାର ମିଶନକୁ ଜାରି ରଖିବାକୁ ମୁଁ ଚାହିଁ ରହିଛି ବୋଲି ସେ କହିଛନ୍ତି।

Share